Hot Posts

6/recent/ticker-posts

୮ ବର୍ଷର କୁନି ପୁଅକୁ ରକ୍ତ କର୍କଟ: ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସନ୍ତୋଷପୁର ସରସ୍ବତୀ ବିଦ୍ୟା ମନ୍ଦିର l

ବାଲେଶ୍ଵର , ୦୫/୧୦ (ପ୍ରଭାକର ମଲ୍ଲିକ) : ରକ୍ତ କର୍କଟ ଭଳି ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ୮ ବର୍ଷର କୁନି ପୁଅ ଗୌରଗୋପାଳ ପ୍ରଧାନ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ଅନ୍ତର୍ଗତ ପଦିମା ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ଗୌରଗୋପାଳ ଆଜି ଏହି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ପିଲାଟିକୁ ବଞ୍ଚାଇବାକୁ ହେଲେ ଜରୁରୀକାଳୀନ ଭିତ୍ତିରେ ଅସ୍ଥିମଜ୍ଜା ପ୍ରତିରୋପଣ (Bone Marrow Transplant) ଆବଶ୍ୟକ। ଯାହା ପାଇଁ ପ୍ରାୟ ୭୦ ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଗରୀବ ବାପା ରଞ୍ଜନ ପ୍ରଧାନଙ୍କ ପକ୍ଷେ ଏତେବଡ଼ ଅର୍ଥରାଶି ଯୋଗାଡ଼ କରିବା ସମ୍ଭବ ହୋଇପାରୁନାହିଁ। ପରିବାରର ସଞ୍ଚିତ ପୁଞ୍ଜି ଏବଂ ସାମାନ୍ୟ କିଛି ଚାଷ ଜମି ବିକ୍ରି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ଏବେ ସେମାନେ ସମ୍ପୂର୍ଣ୍ଣ ନିରୁପାୟ ହୋଇପଡ଼ିଛନ୍ତି। ପୁଅର ଏପରି ଅବସ୍ଥା ଦେଖି ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି।କୁନି ପୁଅର ଜୀବନ ରକ୍ଷା ପାଇଁ ପରିବାର ପକ୍ଷରୁ ସରକାରୀ ସହାୟତା ସହ ସମାଜର ସହୃଦୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସାହାୟତା ପାଇଁ ଆକୁଳ ନିବେଦନ କରାଯାଇଛି।ଏହି କ୍ରମରେ ଆଜି ସନ୍ତୋଷପୁର ସରସ୍ବତୀ ବିଦ୍ୟା ମନ୍ଦିର ପରିବାର ପକ୍ଷରୁ ଆର୍ଥିକ ସହାୟତା ଯାଇ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି। ଏହି ସହାୟତା ପ୍ରଦାନ ସମୟରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର କୁଣ୍ଡ, ଗୁରୁଜୀ ଜଗତ କୁମାର ଗିରି ଏବଂ ଗୁରୁମା ସ୍ୱରସ୍ୱତୀ କର, ମମତା ରାଣୀ ଦାସ, ଶଶୀକଳା ଦାସ, ସୁଲୋଚନା ସେନାପତି, ସଂଯୁକ୍ତା ପାତ୍ର, ନିରୁପମା ମହାନ୍ତି, ବିଷ୍ଣୁପ୍ରିୟା ଜେନା, ମମତା ପାଳ, କନକଲତା ଦାସ ପ୍ରମୁଖ ଉପସ୍ଥିତ ରହି ପିଲାଟିର ଆଶୁ ଆରୋଗ୍ୟ କାମନା କରିଛନ୍ତି l 
> ଗୌରଗୋପାଳଙ୍କ ଚିକିତ୍ସା ପାଇଁ ଯଦି କୌଣସି ଦାନଶୀଳ ବ୍ୟକ୍ତି ସହାୟତା କରିବାକୁ ଚାହାଁନ୍ତି, ତେବେ ନିମ୍ନୋକ୍ତ ମୋବାଇଲ ନମ୍ବରରେ ସିଧାସଳଖ ଯୋଗାଯୋଗ କରିପାରିବେ:
> 📞 *ମୋବାଇଲ ନମ୍ବର:* `୮୦୧୮୩୨୬୧୫୭`

ବାଲେଶ୍ୱର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l