Hot Posts

6/recent/ticker-posts

ମାଁ'ସମଲେଶ୍ୱରୀଙ୍କ ପୀଠରେ ପଞ୍ଚଦିବସୀୟ ଷୋଡଶ ଉପଚାର ପୂଜା ଓ ସପ୍ତଶତୀ ଚଣ୍ଡୀପାଠ ଆରମ୍ଭ

ଲଇକେରା, ୧୨/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ମାଁ ସମଲେଶ୍ୱରୀଙ୍କ ପୀଠରେ ସୋମବାର ଦ୍ୱିତୀୟା ତିଥିରୁ ପଞ୍ଚଦିବସୀୟ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇ ଏହା ନଅ ଦିନ ଧରି ଚାଲିବା ସହ ଦେବୀ ମାଁ'ଙ୍କ ନବଦୂର୍ଗା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଶନିବାର ମହାଳୟା ଅମାବାସ୍ୟା ସକାଳୁ ମାଁ ସମଲେଶ୍ୱରୀଙ୍କ ଓ ପାର୍ଶ୍ୱ ଦେବାଦେବୀଙ୍କ ବିଧି ଅନୁସାରେ ପୂଜାର୍ଚ୍ଚନା ସହିତ ଅଖଣ୍ଡ ଦୀପଦାନ, ଧବଳମୂଖୀ ବେଶ, ନିଶି ପୂଜା ଇତ୍ଯାଦି ହୋଇଥିଲା । ରବିବାର ପ୍ରତିପଦା ତିଥିରେ ମାଁ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଥିଲେ । ସେହିଦିନ ଗୋଧୂଳି ଲଗ୍ନରେ ଶୁଭ କଳଶ ଅଧିବାସ ଓ ଘଟ ସ୍ଥାପନା ପରେ ସୋମବାର ଦିନ ସୂର୍ଯ୍ୟପୂଜା, ଧ୍ୱଜାପୂଜା, ଷୋଡଶ ଉପଚାର ପୂଜା ଓ ସପ୍ତଶତୀ ଚଣ୍ଡୀପାଠର ଶୁଭାରମ୍ଭ । ଏହିଦିନ ଭକ୍ତମାନେ ମାଁ'ଙ୍କୁ ବ୍ରହ୍ମଚାରିଣୀ ବେଶରେ ଦର୍ଶନ କରି ଆଳତି ଓ ପୁଷ୍ପାଞ୍ଜଳୀ ଅର୍ପଣ କରିବେ । ସେହିପରି ଭାବରେ ମଙ୍ଗଳବାର ଚନ୍ଦ୍ରଘଣ୍ଟା ବେଶ, ବୁଧବାର କୁଷ୍ମାଣ୍ଡା ବେଶ, ଗୁରୁବାର ସ୍କନ୍ଦମାତା ବେଶ, ଶୁକ୍ରବାର କାତ୍ୟାୟନୀ ବେଶ, ଶନିବାର କାଳରାତ୍ରୀ ବେଶ, ରବିବାର ମହାଗୈାରୀ ବେଶ ଓ ସୋମବାର ଦିନ ସିଦ୍ଧିଦାତ୍ରୀ ବେଶରେ ମାଁ'ଙ୍କୁ ସୁସଜ୍ଜିତ ବେଶରେ ଭକ୍ତମାନେ ଦର୍ଶନ କରି କୃପାଲାଭ କରିବେ । ମାଁ'ଙ୍କ ପ୍ରତ୍ୟେକ ଦିନର ମୂଖ୍ୟପୂଜା ସାତ୍ତ୍ୱିକ ଅଟେ ।ଆୟୋଜିତ ଏହି ପୂଜାରେ ଅଷ୍ଟମୀ ତିଥିରେ ସନ୍ଧିପୂଜା ଓ କୁଷ୍ମାଣ୍ଡ ବଳି ସରିବା ପରେ ନବମୀ ତିଥିରେ ଦେବୀ ପୀଠରେ ବଳିକ୍ରିୟା ସମ୍ପାଦିତ ହେବାର ବିଧି ରହିଛି । ଏହିଦିନ ପୁଣିଥରେ ବରୂଆ ଦେହରେ ଦେବୀ ଆବିର୍ଭାବ ହୋଇ ରାତ୍ର ୧୦ଟାରୁ ମନ୍ଦିରରୁ ନଗର ଭ୍ରମଣରେ ବାହାରି ଘରେ ଘରେ ପୂଜା ପାଇବେ ।ତା'ପରଦିନ ଦଶମୀ ତିଥିରେ ଦିନ ପ୍ରାୟ ୨ଟା ସମୟରେ ଚାଚେରୀ ଖେଳି ମନ୍ଦିରରେ ପ୍ରବେଶ କରିବେ । ଚଳିତ ବର୍ଷ ମାଁ ସମଲେଶ୍ୱରୀଙ୍କ ପୂଜାରେ କର୍ତ୍ତାଭାବେ ବନମାଳୀ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ମିଶ୍ର କାର୍ଯ୍ୟ ସମ୍ପାଦନ କରିବେ ।ଏହି ପୂଜାରେ ମୂଖ୍ୟ ପୂଜକ ଭାବେ ବିଜୟ ମିଶ୍ର ଓ ସହକାରୀ ପୂଜକ ଭାବେ ବୃହଷ୍ପତି ମିଶ୍ର, କାର୍ଯ୍ୟ ତୁଳାଇବେ ଓ ତାଙ୍କୁ ସହଯୋଗ କରିବେ ପ୍ରଶାନ୍ତ ମିଶ୍ର, ଆଦର୍ଶ ମିଶ୍ର। ପୂଜାର ମୂଖ୍ୟ ପରାମର୍ଶଦାତା ଭାବେ ଗ୍ରାମ ମୁଖିଆ ଟଙ୍କଧର ନାଏକ, ମନ୍ଦିର ପୂଜକ ଭୂବନେଶ୍ୱର ରାୟ ଓ ପ୍ରତାପ ରାୟଙ୍କ ତତ୍ତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେଉଥିବା ବେଳେ ପୂଜା କମିଟୀର ସଭାପତି ସତ୍ୟପ୍ରକାଶ ନାଏକ, ଉପ- ସଭାପତି କାର୍ତ୍ତିକ ବେହେରା, ଟିକେଶ୍ୱର ସାହୁ, ସମ୍ପାଦକ ପ୍ରଦୀପ ସାହୁ, ସହ- ସମ୍ପାଦକ ବିକାଶ ବେହେରା, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ ଏବଂ କମିଟୀର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହିତ ପୂଜାକାର୍ଯ୍ୟ ଅନୁଷ୍ଠିତ ହେବ ବୋଲି କମିଟୀ ସୁତ୍ରରୁ ପ୍ରକାଶ ।



ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ