ବାସୁଦେବପୁର, ୧୦/୧୦ (ଅକ୍ଷୟ କୁମାର ବେହେରା) : ପାନୀୟ ଜଳ ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ। ଘରେ ଘରେ ପାଣି ପହଞ୍ଚାଇବା ପାଇଁ ମେଘା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଅନେକ ଗ୍ରାମରେ ଲୋକଙ୍କୁ ନିୟମିତ ପାଣି ମିଳୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲିମେଦ ପଞ୍ଚାୟତରେ ଅସନ୍ତୋଷ ଦେଖାଦେଇଛି। ପାଣି ସମସ୍ୟାର ସମାଧାନ ଦାବିରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ଏହି ପ୍ରକଳ୍ପର କାମ ନିମ୍ନମାନର ହୋଇଥିବାରୁ ଲୋକେ ଏଯାଏଁ ନିୟମିତ ପାଣି ପାଇପାରୁନାହାନ୍ତି। କେତେବେଳେ ପାଣି ଆସୁଛି ତ ଆଉ କେତେବେଳେ ଆସୁନାହିଁ। ଏହି ସମସ୍ୟା ଯୋଗୁଁ ପୁରୁଷୋତ୍ତମପୁର ଗ୍ରାମ ସମେତ ବାଲିମେଦ ପଞ୍ଚାୟତର ୧ ନମ୍ବର ଓ ୨ ନମ୍ବର ୱାର୍ଡ ଏବଂ ଖସରବାଡ଼ି ଅଞ୍ଚଳର ଲୋକେ ହଇରାଣ ହେଉଥିବା କୁହାଯାଇଛି। କେଉଁଠି ପାଣି ଟାଙ୍କି ଥାଇ ମଧ୍ୟ ପାଣି ଆସୁନାହିଁ, ତ ଆଉ କେଉଁଠି ପାଇପ୍ ଫାଟି ପାଣି ନଷ୍ଟ ହେଉଛି। କେତେକ ସ୍ଥାନରେ ଟ୍ୟାପ୍ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ସମସ୍ୟା ସମ୍ପର୍କରେ ମେଘା ପ୍ରକଳ୍ପର ମ୍ୟାନେଜର, ସୁପରଭାଇଜର, ଜେଇ ଓ ଅନ୍ୟ କର୍ମଚାରୀଙ୍କୁ ଫୋନ୍ ଯୋଗେ ଜଣାଇଲେ ମଧ୍ୟ ସମାଧାନ ହେଉନଥିବା ଗ୍ରାମବାସୀ କହିଛନ୍ତି। ଏପରିକି ଅଭିଯୋଗ ଜଣାଇବା ସମୟରେ ଜଣେ ସୁପରଭାଇଜର ଦୁର୍ବ୍ୟବହାର କରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କେତେକ ଗ୍ରାମରେ ଥିବା ନଳକୂପ ମଧ୍ୟ ଅଚଳ ହୋଇପଡ଼ିଥିବାରୁ ପାଣି ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଫଳରେ ଦୈନନ୍ଦିନ ଆବଶ୍ୟକତା ପାଇଁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏହି ପରିସ୍ଥିତିରେ ଗ୍ରାମବାସୀ ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ସମେତ ବ୍ଲକ୍ ପ୍ରଶାସନ, ତହସିଲଦାର ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ, ଅଚଳ ନଳକୂପର ମରାମତି ଏବଂ ମେଘା ପ୍ରକଳ୍ପର ତ୍ରୁଟି ଦୂର କରି ନିୟମିତ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।
ବାସୁଦେବପୁରରୁ ଅକ୍ଷୟ କୁମାର ବେହେରାଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍।

