ଥୁଆମୂଳ ଗ୍ରାମରେ ମା’ ମାଣିକେଶ୍ୱରୀଙ୍କ ଦଶହରା ଓ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ
କଳାହାଣ୍ଡି, ୨୫/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆଶ୍ୱିନ ମାସ ଶୁକ୍ଳପକ୍ଷ କୁମାର ପୂର୍ଣ୍ଣିମା ଅବସରରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରାଚୀନ ଆଦିପୀଠ ଥୁଆମୂଳ ଗ୍ରାମରେ ବାର୍ଷିକ ପୂଜା ଉତ୍ସବ ସହ ଦଶହରା ଓ କୁମାର ପୂର୍ଣ୍ଣିମା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବ ଅବସରରେ ମା’ଙ୍କ ପୂଜାର୍ଚ୍ଚନା ସହ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ସଭା କାର୍ଯ୍ୟକ୍ରମ ଥୁଆମୂଳ ପଞ୍ଚାୟତର ସରପଞ୍ଚ ବଲଭଦ୍ର ଜାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଭକ୍ତ ଚରଣ ଦାସଙ୍କ ପ୍ରତିନିଧି ଭାବେ ବରିଷ୍ଠ କଂଗ୍ରେସ କର୍ମୀ ଅଶୋକ କୁମାର ସିଂହ, କଂଗ୍ରେସ ବ୍ଲକ ସଭାପତି ଦେବେନ୍ଦ୍ର ନାୟକ, ରାଧେ କୁମାର ଧଙ୍ଗଡ଼ାମାଝୀ, ପରମେଶ୍ୱର ନାଏକ, ଧର୍ମେନ୍ଦ୍ର ନାଏକ ଓ ହେମନ୍ତ ନାଏକ ପ୍ରମୁଖ ଯୋଗଦେଇଥିଲେ। ଉତ୍ସବରେ ଅଞ୍ଚଳର ବହୁ ବୁଦ୍ଧିଜୀବୀଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମ ହୋଇଥିଲା। ପାରମ୍ପରିକ ରୀତିନୀତି ଓ ଭକ୍ତିଭାବର ସହ ଏହି ଉତ୍ସବ ପାଳନ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଥିଲା।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ