ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବି, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
କଳାହାଣ୍ଡି, ୧୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ସହିତ ଦରମା ବୃଦ୍ଧି ଓ ବିଭିନ୍ନ ବକେୟା ଅର୍ଥ ପ୍ରଦାନ ଦାବିରେ ଦାବିପତ୍ର ପ୍ରଦାନ। ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ସୋମବାର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ଲମ୍ବିତ ରହିଥିବା ବିଭିନ୍ନ ଦାବିର ତୁରନ୍ତ ସମାଧାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ କାର୍ଯ୍ୟକାଳ, ପାରିଶ୍ରମିକ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବିରେ ସୋମବାର ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସହିତ ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବାକୁ ଦାବି ହୋଇଛି। ଏଥିସହିତ ୨୦୨୪ ନିର୍ବାଚନ ଇସ୍ତାହାରରେ ଘୋଷିତ ପାରିଶ୍ରମିକ ବୃଦ୍ଧିକୁ ତୁରନ୍ତ ଲାଗୁ କରିବାକୁ ଦାବି କରାଯାଇଛି। ସେହିପରି ୫୫ ବର୍ଷରୁ ଊର୍ଦ୍ଧ୍ୱ କର୍ମୀଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା ବ୍ୟବସ୍ଥାର ପୁନର୍ବିଚାର, ୬୦ ବର୍ଷ ପରେ ଦୁଇ ବର୍ଷର ସମ୍ପ୍ରସାରିତ ନିଯୁକ୍ତି ପ୍ରଦାନରେ ଦେଖାଦେଉଥିବା ସମସ୍ୟାର ସମାଧାନ ଏବଂ ସୁପରଭାଇଜର ପଦକୁ ନିୟମିତ ପଦୋନ୍ନତି ସହିତ ବୟସ ସୀମା ଉଚ୍ଛେଦ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ, ପୋଷଣ ଟ୍ରାକରରେ ନେଟୱାର୍କ ସମସ୍ୟା ଯୋଗୁଁ ତଥ୍ୟ ଅପଲୋଡ୍ ହୋଇନପାରିବା କାରଣରୁ କଟାଯାଇଥିବା ପାରିଶ୍ରମିକ ପୁନଃ ପ୍ରଦାନ, ତିନି ବର୍ଷର ବକେୟା ୟୁନିଫର୍ମ ରାଶି, ମୋବାଇଲ୍ ରିଚାର୍ଜ ଓ ଇଣ୍ଟରନେଟ୍ ପ୍ୟାକ୍ ଖର୍ଚ୍ଚ ଏବଂ ପାଞ୍ଚ ମାସର ବକେୟା ପୋଷଣ ଇନସେଣ୍ଟିଭ୍ ତୁରନ୍ତ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହାସହିତ ଏସ୍ଏନ୍ପି ଓ ଏମ୍ଏସ୍ପିୱାଇ ଯୋଜନାର ଅର୍ଥରାଶି ଏବଂ ଚାଉଳ ଠିକ୍ ସମୟରେ ଯୋଗାଣ, ଜଏଣ୍ଟ ଆକାଉଣ୍ଟରେ ଆସୁଥିବା ଅର୍ଥର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ଏବଂ ମାତୃତ୍ୱକାଳୀନ ସୁବିଧା, ଅବସରକାଳୀନ ସୁବିଧା ଓ ମୃତ୍ୟୁକାଳୀନ ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି। ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଶିଶୁ ବିକାଶ, ପୁଷ୍ଟିସାଧନ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବାରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବିଗୁଡ଼ିକ ପ୍ରତି ସରକାର ସଦୟ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।