ଖଣ୍ଡିଆ ଭୀମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ୨୪ ଦଳର ଅଂଶଗ୍ରହଣ, ହଜାର ହଜାର ଦର୍ଶକଙ୍କ ସମାଗମ
ଝରିଗାଁ, ୧୪/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡ଼ା ନୂତନ ହାଇସ୍କୁଲ ଖେଳପଡ଼ିଆରେ ଆୟୋଜିତ ତିନିଦିନିଆ ଖଣ୍ଡିଆ ଭୀମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ଅଞ୍ଚଳର ୨୪ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଉଦ୍ଯାପନୀ ଦିବସରେ ହଜାର ହଜାର ଫୁଟବଲପ୍ରେମୀଙ୍କ ସମାଗମ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସୁନ୍ଦର ଦାସ ଓ ପ୍ରଭାକର ଗାଉଁଠିଆ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ ବିଜେତା ଡୁରୁକିଗୁଡ଼ା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା, ଉପବିଜେତା ବଡ଼ବାସନି ଦଳକୁ ଟ୍ରଫି ସହ ୫ ହଜାର ୫୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ମାଲଗୁଡ଼ା ଦଳକୁ ଟ୍ରଫି ସହ ୪ ହଜାର ୫୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାର ପ୍ରଥମ ଦିନରେ ବଡବାସନି, ଦ୍ୱିତୀୟ ଦିନରେ ଡୁରୁକିଗୁଡ଼ା ଏବଂ ତୃତୀୟ ଦିନରେ ମାଲଗୁଡ଼ା ଦଳ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ତିନି ଦଳ ମଧ୍ୟରୁ ଲଟେରି ମାଧ୍ୟମରେ ବଡବାସନି ଦଳ ସିଧାସଳଖ ଫାଇନାଲକୁ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଡୁରୁକିଗୁଡ଼ା ଓ ମାଲଗୁଡ଼ା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଡୁରୁକିଗୁଡ଼ା ଦଳ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲା। ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଲୁକ୍କାୟିତ କ୍ରୀଡ଼ା ପ୍ରତିଭାର ବିକାଶ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ପିତାମ୍ବର ମାଝୀ, ଉପସଭାପତି ଶିବରାମ ଭତ୍ରା ଓ କୋଷାଧ୍ୟକ୍ଷ ଯୁଗସାୟଙ୍କ ସମେତ କମିଟିର ସଦସ୍ୟ ଦୟମନ ଭତ୍ରା, ଉଦ୍ଧବ ଭତ୍ରା, ପଦମ୍ ଭତ୍ରା, ଦିବା ଭତ୍ରା, ଦେବୀସିଂ ଭତ୍ରା, ଫାଲଗୁନି ଭତ୍ରା, ପ୍ରଭାକର ଗୌଡ଼, ନାରାୟଣ ଭତ୍ରା, ନକୁଳ ପୂଜାରୀ, ଗୋରାଚାନ୍ଦ ଭତ୍ରା, ବଳିରାମ ଭତ୍ରା, ସୀମାଞ୍ଚଳ ଭତ୍ରା, ପୂର୍ଣ୍ଣ କଳାର, ଭଜନ କଳାର, ସହଦେବ ପନକା, ନର ଭତ୍ରା, ରୋଶନ କୁମାର ଗୁପ୍ତା ଓ ସହେନ୍ଦ୍ର ଭତ୍ରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।