Hot Posts

6/recent/ticker-posts

ବାତ୍ୟା ପ୍ରଭାବରେ ୩୫୩ ଜାତୀୟ ରାଜପଥରେ ଉପୁଡ଼ିଲା ବିଶାଳକାୟ ଗଛ, ଖଡ଼ିଆଳ ଓ ନୂଆପଡ଼ାରେ ଯାତାୟାତ ବାଧାପ୍ରାପ୍ତ

ନୂଆପଡ଼ା, ୨୮/୧୦ (ପରମେଶ୍ୱର ମେହେର) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପବନର ବେଗ ବୃଦ୍ଧି ପାଇବା ଯୋଗୁଁ ନୂଆପଡ଼ା ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି। ଜିଲ୍ଲା ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥର ଦୁଇଟି ସ୍ଥାନରେ ବିଶାଳକାୟ ଗଛ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ଖଡ଼ିଆଳ ସ୍ଥିତ ୩୫୩ ନମ୍ବର ଜାତୀୟ ରାଜପଥର ବବୁଲି ଢାବା ନିକଟରେ ଏକ ବିଶାଳକାୟ ଗଛ ରାସ୍ତା ଉପରେ ପଡ଼ିଯାଇଛି। ସେହିପରି ନୂଆପଡ଼ା ନେସନାଲ କଲେଜ ସମ୍ମୁଖରେ ମଧ୍ୟ ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି। ଫଳରେ ଯାତ୍ରୀ ଓ ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ କାଟି ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ରାସ୍ତା ସଫା କରି ଯାତାୟାତକୁ ପୁନଃ ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ବୃଦ୍ଧି ପାଇଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ସତର୍କ ରହିବା ସହ ଆବଶ୍ୟକ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି।