ଖରସ୍ରୋତା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ୨୫ ନାମାଙ୍କନ ଦାଖଲ
ବିଞ୍ଝାରପୁର, ୧୦।୧୦ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ମହାବିଦ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଥିଲେ। ଏହାକୁ ନେଇ କ୍ୟାମ୍ପସରେ ଛାତ୍ର ରାଜନୀତି ସରଗରମ ହୋଇଥିବାବେଳେ ମୋଟ ୨୫ ଟି ନାମାଙ୍କନପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ନାମାଙ୍କନ ପ୍ରକ୍ରିୟା ପରିଚାଳନା କରିଥିଲେ। ସଭାପତି ପଦ ପାଇଁ ସୋନାଲି ଦାସ, ଶୁଭଶ୍ରୀ ସାହୁ ଓ ସୁହାସ ରଞ୍ଜନ ପ୍ରଧାନ ନାମାଙ୍କନ ଦାଖଲ କରିଥିବାବେଳେ ଉପସଭାପତି ପଦ ପାଇଁ ଆଶୁତୋଷ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ସରୋଜ କୁମାର ବାରିକ ଓ ଶୁଭମ ସାମଲ ପ୍ରାର୍ଥୀ ହୋଇଛନ୍ତି।ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ବାଣୀଶ୍ରୀ ପୃଷ୍ଟି ଓ ଜ୍ୟୋତି ବାରିକ, ସହସମ୍ପାଦକ ପଦ ପାଇଁ ଅନିଶ କୁମାର ଦାଶ ଓ ଋତୁପ୍ରଭା ରାଉତ ନାମାଙ୍କନ ଦାଖଲ କରିଛନ୍ତି। କ୍ରୀଡ଼ା ସମ୍ପାଦକ ପଦ ପାଇଁ ଐଶ୍ୱର୍ଯ୍ୟା ପରିଡ଼ା, ମନୋରଞ୍ଜନ ସାହୁ, ରୁଦ୍ର ପ୍ରତାପ ବାରିକ ଓ ସାଗର ଦାସ ପ୍ରାର୍ଥୀ ହୋଇଛନ୍ତି। ଏଥିସହ ସାଂସ୍କୃତିକ ପରିଷଦ ସମ୍ପାଦକ ପଦ ପାଇଁ ୪ ଜଣ, ଡିଏସ୍ଏ ସମ୍ପାଦକ ପଦ ପାଇଁ ୨ ଜଣ, ବିଜ୍ଞାନ ବିଭାଗ ସମ୍ପାଦକ ପଦ ପାଇଁ ୨ ଜଣ ଏବଂ ବାଣିଜ୍ୟ ବିଭାଗ ସମ୍ପାଦକ ପଦ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସଙ୍କ ସୂଚନାନୁଯାୟୀ, ସମଗ୍ର ନାମାଙ୍କନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଏହି ପ୍ରକ୍ରିୟାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମୂହିକ ଦାୟିତ୍ୱବୋଧ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବାରୁ ଏହାକୁ ନେଇ କ୍ୟାମ୍ପସରେ ଉତ୍ସାହ ଦେଖାଦେଇଛି।