ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ପାଳିତ ‘SPARK-2026’ରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ଝଲକ
ରାୟଗଡ଼ା, ୧୯/୦୯ ( ଭି. ଗୌରୀ ଶଙ୍କର ରାଓ ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ ‘SPARK-2026’ କାର୍ଯ୍ୟକ୍ରମ ଆଜି ବିଜୁ ପଟ୍ଟନାୟକ ଅଡିଟୋରିୟମ୍, ରାୟଗଡ଼ାଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଅବସରରେ ନିଜର ସୃଜନଶୀଳତା, ପ୍ରତିଭା ଓ କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ଜିଲ୍ଲାସ୍ତରୀୟ ଉତ୍ସବର ଉଦ୍ଘାଟନୀ ସମାରୋହରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଡି.ଏ.ଭି. କଲେଜ, ଟିଟିଲାଗଡ଼ର ଡ. ଶିବ ପ୍ରସାଦ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାୟଗଡ଼ା ଶ୍ରୀମତୀ ଶାନ୍ତିଲତା ମୁନି, ଏବଂ ଶ୍ରୀ କ୍ଷୀରେଶ୍ୱର ପଧାନ, ନୋଡାଲ୍ ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟସମୂହ, ରାୟଗଡ଼ା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଜୁନିଅର ଓ ସିନିଅର ବର୍ଗର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଇଂରାଜୀ ବିତର୍କ, ଇଂରାଜୀ ପ୍ରବନ୍ଧ, ଇଂରାଜୀ ଏଲୋକ୍ୟୁସନ୍, କବିତା ଆବୃତ୍ତି, ଏକକ ସଙ୍ଗୀତ, ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଦଳୀୟ ଲୋକନୃତ୍ୟ, ଦଳୀୟ ଶାସ୍ତ୍ରୀୟ ନୃତ୍ୟ, ଚିତ୍ରାଙ୍କନ ଓ ପେଣ୍ଟିଂ ଏବଂ କୁଇଜ୍ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାଗୁଡ଼ିକରେ ନିର୍ଦ୍ଧାରିତ ସମୟ ଓ ନିୟମାବଳୀ ଅନୁଯାୟୀ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସମାପନୀ ସମାରୋହରେ ରାୟଗଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ମଞ୍ଜୁଳା ମିନିଆକା, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର, କ୍ଷୀରେଶ୍ୱର ପଧାନ, ନୋଡାଲ୍ ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟସମୂହ, ରାୟଗଡ଼ା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସମାରୋହର ସଭାପତିତ୍ୱ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ, ରାୟଗଡ଼ା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। SPARK-2026 ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଭା ବିକାଶର ଏକ ଉତ୍କୃଷ୍ଟ ମଞ୍ଚ ଭାବେ ପରିଣତ ହୋଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମନ୍ୱିତ ପ୍ରୟାସକୁ ପ୍ରଶଂସା କରାଯାଇଥିଲା। SPARK-2026 ରାୟଗଡ଼ା ଜିଲ୍ଲାର ଯୁବ ପ୍ରତିଭାମାନଙ୍କ ପାଇଁ ଏକ ସ୍ମରଣୀୟ ଓ ପ୍ରେରଣାଦାୟକ ଅନୁଭବ ହୋଇ ରହିବ।