ଲଗାଣ ବର୍ଷାରେ ଶିଖରପୁର ୮ ନମ୍ବର ଜୋନ୍ର ରାସ୍ତା ମରଣଯନ୍ତା
ନୟାଗଡ଼, ୨୫/୦୯ (ସୁଧୀର କୁମାର ଦାସ) : ଲଗାଣ ବର୍ଷା ଯୋଗୁଁ ସରଣକୁଳ ଥାନା ଅଧୀନ ଶିଖରପୁର ପଞ୍ଚାୟତର ୮ ନମ୍ବର ଜୋନ୍ର ରାସ୍ତା ଏବେ ଦୟନୀୟ ଅବସ୍ଥାରେ। ଲଗାତାର ୪ ଦିନର ବର୍ଷା ପରେ ରାସ୍ତା ଉପରେ ନାଳ ଭଳି ପାଣି ପ୍ରବାହିତ ହେଉଥିବାରୁ ଗ୍ରାମବାସୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ୮ ନମ୍ବର ଜୋନ୍ରେ ରାସ୍ତା ନିର୍ମାଣ କାମ ଚାଲିଥିବାବେଳେ କିଛି ଅଂଶର କାମ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିଲା। ଏହି ସମୟରେ ଲଘୁଚାପଜନିତ ବର୍ଷା ଲାଗି ରହିବାରୁ ରାସ୍ତା ଉପରେ ବହୁ ପରିମାଣର ପାଣି ଜମିବା ସହ ପ୍ରବାହିତ ହେଉଥିବା ଦେଖାଯାଇଛି। ରାସ୍ତା କଡ଼ରେ ନାଳ ଥିଲେ ମଧ୍ୟ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ପାଣି ନିଷ୍କାସନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଘର ରହିଥିବାରୁ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବା ଗ୍ରାମବାସୀ କହିଛନ୍ତି। ଫଳରେ ବର୍ଷା ଦିନରେ ଏହି ରାସ୍ତା ଦେଇ ଲୋକଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୀଘ୍ର ରାସ୍ତା ନିର୍ମାଣ ଓ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ଓ ସରପଞ୍ଚଙ୍କ ନିକଟରେ ଦାବି କରିଛନ୍ତି।
ନୟାଗଡ଼ରୁ ସୁଧୀର କୁମାର ଦାସଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍।