୯ ମାସ ଧରି ବିଜୁଳିରୁ ବଞ୍ଚିତ ଜାମଝୋଲାବାସୀ ସ୍ମାର୍ଟ ମିଟର ପରେ ବିଲ୍ ବଢ଼ିଥିବା ଅଭିଯୋଗ; ସଂଯୋଗ ପୁନଃସ୍ଥାପନ ଦାବି
ଝରିଗାଁ, ୧୯/୦୯ (ନକୁଳ ଭତ୍ରା) : ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ଜାମଝୋଲା ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ଏହି ଗ୍ରାମର ଦୁଇଟି ସାହିରେ ପ୍ରାୟ ୪୪ଟି ପରିବାର ରହୁଛନ୍ତି। ବିଦ୍ୟୁତ ସଂଯୋଗ ବନ୍ଦ ଥିବା ବେଳେ ପ୍ରତ୍ୟେକ ଘରେ ସ୍ମାର୍ଟ ମିଟର ଲାଗିଥିବା ଏବଂ ଏହା ପରେ ବିଦ୍ୟୁତ ବିଲ୍ ବୃଦ୍ଧି ପାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଜୀବିକା ମୁଖ୍ୟତଃ ଚାଷବାସ ଉପରେ ନିର୍ଭରଶୀଳ। ଏଭଳି ସମୟରେ ବକେୟା ବିଲ୍ର କିଛି ଅଂଶ ପୈଠ କରି ବିଦ୍ୟୁତ ସଂଯୋଗ ପୁନଃ ପାଇବା ଆଶାରେ ସେମାନେ ଝରିଗାଁ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇଥିବା କହିଛନ୍ତି। ପ୍ରଥମ ଥର ପ୍ରାୟ ୪୦ ହଜାର ଟଙ୍କା ଓ ଚଳିତ ମାସରେ ପୁଣି ପ୍ରାୟ ୩୫ ହଜାର ଟଙ୍କା ନେଇ ଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ ଯନ୍ତ୍ରୀ ସୁଜିତ କୁମାର ପୁଷ୍ଟିଙ୍କୁ ପଚାରିବାରୁ, ସମୁଦାୟ ବକେୟା ରାଶିର ୨୫ରୁ ୩୦ ପ୍ରତିଶତ ପୈଠ କରାଗଲେ ବିଦ୍ୟୁତ ସରବରାହ ପୁନଃସଂଯୋଗ କରାଯାଇପାରିବ ବୋଲି କହିଥିଲେ। ସେହିପରି ଏସ୍ଡିଓ ସୌରଭ କୁମାର ପାତ୍ରଙ୍କ କହିବାନୁଯାୟୀ, ଗ୍ରାମବାସୀଙ୍କ ମୋଟ ବକେୟା ରାଶି ଯାଞ୍ଚ କରାଯିବା ପରେ ବିଦ୍ୟୁତ ସେବା ଯୋଗାଇବା ଦିଗରେ ପ୍ରୟାସ କରାଯିବ। ଦୀର୍ଘଦିନ ଧରି ବିଦ୍ୟୁତ ନଥିବାରୁ ଗ୍ରାମର ପିଲାମାନେ ରାତିରେ ଡିବିରି ଓ ମହମବତି ଆଲୁଅରେ ପାଠ ପଢ଼ୁଛନ୍ତି। ଗରମରେ ଛୋଟ ପିଲା, ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ଅସୁବିଧା ଭୋଗୁଥିବା ବେଳେ ମୋବାଇଲ ଚାର୍ଜ କରିବା ଓ ଅନଲାଇନ୍ କାର୍ଯ୍ୟ କରିବାରେ ମଧ୍ୟ ସମସ୍ୟା ହେଉଛି। ରାତିରେ ଅନ୍ଧାର ଯୋଗୁଁ ସାପ, ବିଛା ଓ ଅନ୍ୟ ସରୀସୃପଙ୍କ ଭୟ ମଧ୍ୟ ରହୁଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ବିଦ୍ୟୁତ ସେବା ପୁନଃସଂଯୋଗ କରାଯାଇ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। ଏ ଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।