କଳାହାଣ୍ଡି, ୨୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଧରମଗଡ଼-ବୋଡ଼େନ ରାସ୍ତାରେ ଫ୍ଲାଏଆସ୍ ଧୁଳି ଏବେ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଛି। ଫ୍ଲାଏଆସ୍ ବୋଝେଇ ଗାଡ଼ି ଯାତାୟାତ କରିବା ସମୟରେ ରାସ୍ତା ଉପରେ ପ୍ରବଳ ଧୁଳି ଉଡ଼ୁଥିବାରୁ ଦୁଇଚକିଆ ଓ ସାଇକେଲ୍ ଚାଳକଙ୍କ ସମେତ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧୁଳି ଆଖିରେ ପଡ଼ିବା ସହ ଶ୍ୱାସ ନେବାରେ ମଧ୍ୟ କଷ୍ଟ ହେଉଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ ଫ୍ଲାଏଆସ୍ ପରିବହନ ସମୟରେ ଗାଡ଼ିକୁ ତାରପୋଲିନ୍ରେ ଭଲ ଭାବେ ଘୋଡ଼ାଇ ନେବା କଥା। ହେଲେ ଧରମଗଡ଼-ବୋଡ଼େନ ରାସ୍ତାରେ ଏହି ନିୟମର ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସୁଛି। ଫଳରେ ଗାଡ଼ିରୁ ଫ୍ଲାଏଆସ୍ ଧୁଳି ଉଡ଼ି ରାସ୍ତାରେ ପରିବେଶ ଦୂଷିତ ହେବା ସହ ଯାତାୟାତକାରୀ ଲୋକେ ଅସୁବିଧାରେ ପଡ଼ୁଛନ୍ତି। ଏପଟେ ଅନଲୋଡିଂ ସ୍ଥାନ ନିକଟରେ ଫ୍ଲାଏଆସ୍ ବୋଝେଇ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଅଟକି ରହୁଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ଫ୍ଲାଏଆସ୍ ଧୁଳିରୁ ମୁକ୍ତି, ନିୟମର କଡ଼ାକଡ଼ି ପାଳନ ଏବଂ ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
