Hot Posts

6/recent/ticker-posts

ପାଷ୍ଟିକୁଡ଼ି ଚାରିଛକରେ ଫ୍ଲାଏଓଭର ପାଇଁ ଉଚ୍ଛେଦ ଆରମ୍ଭ

କଳାହାଣ୍ଡି, ୨୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନ ଜାତୀୟ ରାଜପଥ-୨୬ର ପାଷ୍ଟିକୁଡ଼ି ଚାରିଛକରେ ପ୍ରସ୍ତାବିତ ଫ୍ଲାଏଓଭର ନିର୍ମାଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଜମି ଅଧିଗ୍ରହଣ ପରେ ଶୁକ୍ରବାରଠାରୁ ଚାରିଛକର ଉଭୟ ପାର୍ଶ୍ୱରେ ଥିବା ଘର ଓ ଦୋକାନ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ସୂଚନା ଅନୁଯାୟୀ, ପାଷ୍ଟିକୁଡ଼ି ଚାରିଛକରେ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରାୟ ୬୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥିରୁ ପ୍ରାୟ ୩୩ କୋଟି ଟଙ୍କା ଜମି ଅଧିଗ୍ରହଣ, ୨୭ କୋଟି ଟଙ୍କା ଫ୍ଲାଏଓଭର ନିର୍ମାଣ, ୫ କୋଟି ଟଙ୍କା ବିଦ୍ୟୁତ୍‌ କାମ ଏବଂ ପ୍ରାୟ ୨ କୋଟି ଟଙ୍କା ପାଣି ପାଇପ୍‌ଲାଇନ୍‌ ସ୍ଥାନାନ୍ତରଣ ପାଇଁ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଫ୍ଲାଏଓଭର ପାଇଁ ଚାରିଛକର ଉଭୟ ପାର୍ଶ୍ୱରେ ପ୍ରାୟ ୧୩ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ପ୍ରଭାବିତ ଜମି ମାଲିକଙ୍କୁ ନିୟମାନୁସାରେ କ୍ଷତିପୂରଣ ଦିଆଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ଏହାପରେ ନିର୍ମାଣ ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୮୦ଟି ପରିବାରର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଏହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ହେଉଥିବା ସୂଚନା ମିଳିଛି। କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଉପସ୍ଥିତ ଥିବା ବେଳେ ତହସିଲ କର୍ମଚାରୀ, ଜାତୀୟ ରାଜପଥ ବିଭାଗର ଅଧିକାରୀ, ଠିକା ସଂସ୍ଥାର କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ଜେସିବି ମେସିନ୍‌ ସହାୟତାରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ପାଷ୍ଟିକୁଡ଼ି ଚାରିଛକ ଜାତୀୟ ରାଜପଥ-୨୬ର ଏକ ଗୁରୁତ୍ୱପୂର୍ଣ୍ଣ ଛକ ହୋଇଥିବାରୁ ଏଠାରେ ପ୍ରତିଦିନ ବହୁ ସଂଖ୍ୟକ ଭାରୀ ଓ ହାଲୁକା ଯାନ ଚଳାଚଳ କରିଥାଏ। ଚାରିଛକରେ ଟ୍ରାଫିକ୍‌ ଚାପ ଓ ଯାନବାହନ ଜାମ୍‌ ସମସ୍ୟା ଦେଖାଦେଉଥିବାରୁ ଫ୍ଲାଏଓଭର ନିର୍ମାଣ ହେଲେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଏବେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସହ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରାଥମିକ ପ୍ରସ୍ତୁତି ଆଗକୁ ବଢ଼ିଛି। ତେବେ ପ୍ରଭାବିତ ପରିବାର ଓ ବ୍ୟବସାୟୀଙ୍କ ପୁନର୍ବାସ, ନିର୍ମାଣ ସମୟରେ ଟ୍ରାଫିକ୍‌ ବ୍ୟବସ୍ଥା ଏବଂ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ