ସ୍ୱଚ୍ଛ ଗାଁର ସ୍ୱପ୍ନ ମଝିରେ ଅଳିଆର ପାହାଡ଼, ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?
ସିନାପାଲି, ୦୯/୦୯ ( ପରମେଶ୍ୱର ମେହେର ) : ସ୍ୱଚ୍ଛ ଓ ସୁନ୍ଦର ଗାଁର ସ୍ୱପ୍ନ ଦେଖୁଛି ଗ୍ରାମାଞ୍ଚଳ। ସ୍ୱଚ୍ଛତା ଓ ପରିମଳକୁ ନେଇ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଗଣ୍ଡାବାହାଳୀ–ଗମ୍ଭାରୀଗୁଡ଼ା ରାସ୍ତା କଡ଼ର ବାସ୍ତବ ଚିତ୍ର ଯେପରି ଏହି ସବୁ ପ୍ରୟାସକୁ ନିରବରେ ପ୍ରଶ୍ନ କରୁଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଳୀ ଗ୍ରାମ ପଞ୍ଚାୟତରୁ ଗମ୍ଭାରୀଗୁଡ଼ା ଯିବା ମୁଖ୍ୟ ରାସ୍ତା କଡ଼ରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଗଦା ଗଦା ଅଳିଆ ଆବର୍ଜନା ଯୋଗୁଁ ରାସ୍ତା କଡ଼ର ପରିବେଶ ଅସୁନ୍ଦର ହୋଇପଡ଼ିଥିବା ବେଳେ ଦୁର୍ଗନ୍ଧ ଓ ପୋକଜନ୍ତୁଙ୍କ ଉପଦ୍ରବ ନେଇ ମଧ୍ୟ ଚିନ୍ତା ବଢ଼ିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀମାନେ ଯାଆସ କରୁଛନ୍ତି। ସକାଳୁ ବହିବସ୍ତା ଧରି ଶିକ୍ଷା ପାଇଁ ବାହାରୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ଏଭଳି ଅଳିଆ ଆବର୍ଜନା ମଧ୍ୟଦେଇ ଯିବାକୁ ପଡ଼ୁଥିବା ଦୃଶ୍ୟ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଯେଉଁ ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ସ୍ୱଚ୍ଛ ପରିବେଶରେ ଶିକ୍ଷାର ଆଲୋକ ଆଡ଼କୁ ଆଗେଇବା କଥା, ସେହି ରାସ୍ତା କଡ଼ରେ ଅଳିଆର ଗଦା ଦେଖିବାକୁ ମିଳିବା ଦୁଃଖଦ ଚିତ୍ର ସୃଷ୍ଟି କରୁଛି। ଏକପଟେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତାର ପାଠ ପଢ଼ାଯାଉଛି, ଅନ୍ୟପଟେ ସ୍କୁଲ ଯିବା ରାସ୍ତା କଡ଼ରେ ଯଦି ଆବର୍ଜନା ଜମି ରହେ, ତେବେ ଏହା ପିଲାମାନଙ୍କ ମନରେ କି ପ୍ରଭାବ ପକାଇବ—ଏହା ମଧ୍ୟ ଚିନ୍ତା କରିବାର ସମୟ ଆସିଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ବିଭିନ୍ନ ଗାଁକୁ ସୁନ୍ଦର ଓ ସ୍ୱଚ୍ଛ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ଗଣ୍ଡାବାହାଳୀ ପଞ୍ଚାୟତ ଅଞ୍ଚଳର ଏହି ଦୃଶ୍ୟ ପ୍ରଶାସନିକ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଠିଆ କରୁଛି। ସମ୍ପୃକ୍ତ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ନଜର ଏହି ସ୍ଥାନ ଉପରେ କେବେ ପଡ଼ିବ? ସ୍ୱଚ୍ଛତା ପାଇଁ ଆସୁଥିବା ସରକାରୀ ଅର୍ଥର ସଠିକ୍ ବିନିଯୋଗ ହେଉଛି କି?—ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଠୁଛି। ଗ୍ରାମବାସୀଙ୍କ କହିବାନୁସାରେ, ରାସ୍ତା କଡ଼ରେ ପଡ଼ିଥିବା ଆବର୍ଜନାକୁ ତୁରନ୍ତ ସଫା କରିବା ସହ ନିୟମିତ ସଫେଇ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ରାସ୍ତା କଡ଼କୁ ସ୍ୱଚ୍ଛ ରଖିବା ସହ ଆବର୍ଜନା ଫିଙ୍ଗିବା ଉପରେ ମଧ୍ୟ ରୋକ ଲଗାଇବାକୁ ଦାବି ହୋଇଛି। ପିଲାମାନେ ଯେଉଁ ରାସ୍ତା ଦେଇ ଭବିଷ୍ୟତର ସ୍ୱପ୍ନ ନେଇ ସ୍କୁଲ ଯାଉଛନ୍ତି, ସେହି ରାସ୍ତା ଯଦି ଅଳିଆରେ ଭରି ରହିବ, ତେବେ ସ୍ୱଚ୍ଛ ଗାଁର ସ୍ୱପ୍ନ କେମିତି ସାକାର ହେବ? ଏବେ ଅପେକ୍ଷା କେବଳ ପ୍ରଶାସନର ଦୃଷ୍ଟି ପଡ଼ିବାକୁ। ରାସ୍ତା କଡ଼ରୁ ଅଳିଆ ଆବର୍ଜନା କେବେ ହଟିବ, ଗଣ୍ଡାବାହାଳୀ–ଗମ୍ଭାରୀଗୁଡ଼ା ରାସ୍ତା କେବେ ପାଇବ ସ୍ୱଚ୍ଛତାର ନୂଆ ରୂପ—ତାହା ଦେଖିବାକୁ ବାକି ରହିଲl