Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ

ନୂଆପଡ଼ା, ୨୩/୦୯ ( ପରମେଶ୍ୱର ମେହେର ) : ଛାତ୍ରଛାତ୍ରୀଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ଉଚ୍ଚଶିକ୍ଷା ଓ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ସମ୍ଭାବନା-୨୦୨୭’ କାର୍ଯ୍ୟକ୍ରମ ଅଧୀନରେ ଏଣିକି ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ। ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ଜିଲ୍ଲା ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ଦାଶ ଏନେଇ ଆଦେଶ ଜାରି କରିଛନ୍ତି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ନିଜକୁ ଟ୍ୟାଗ୍ କରାଯାଇଥିବା ବିଦ୍ୟାଳୟକୁ ଯାଇ କ୍ଲାସ ନେବେ। ଅଧିକାରୀମାନେ କେବଳ ପାଠ ପଢ଼ାଇବାରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ଧାରଣାତ୍ମକ ଜ୍ଞାନ, ଶିକ୍ଷାଗତ ପ୍ରସ୍ତୁତି ଓ ଶିକ୍ଷଣ ପ୍ରଗତିକୁ ଗୁରୁତ୍ୱ ଦେବେ। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରି ଆବଶ୍ୟକ ଶିକ୍ଷାଗତ ମାର୍ଗଦର୍ଶନ ଓ ପ୍ରେରଣା ଦେବା ସହ ଭବିଷ୍ୟତ ଶିକ୍ଷା ଓ କ୍ୟାରିୟର ସମ୍ପର୍କରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ। ଏଥିସହ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମର ସୁଚାରୁ କାର୍ଯ୍ୟାନ୍ୱୟନ, ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରଗତିର ସମୀକ୍ଷା କରାଯିବ। ପ୍ରତ୍ୟେକ ଗସ୍ତ ସମୟରେ ନିଆଯାଇଥିବା ଶ୍ରେଣୀ ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପର ସଂକ୍ଷିପ୍ତ ବିବରଣୀ ରଖିବା ସହ ଅଧିକାରୀମାନେ ନିଜ ଗସ୍ତ ଓ ଛାତ୍ରଛାତ୍ରୀଙ୍କ ପ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବେ। ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନଙ୍କୁ ସିଧାସଳଖ ଶିକ୍ଷାଦାନ ପ୍ରକ୍ରିୟା ସହ ଯୋଡ଼ି ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରଗତିରେ ସହଯୋଗ କରିବାର ଏହି ପଦକ୍ଷେପ ନୂଆପଡ଼ାର ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପ୍ରୟାସ। ‘ସମ୍ଭାବନା-୨୦୨୭’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା, ଆତ୍ମବିଶ୍ୱାସ ଓ ଭବିଷ୍ୟତ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।