Hot Posts

6/recent/ticker-posts

ଥୁଆମୂଳ ରାମପୁରରେ ବେଆଇନ ଦାଦନ ବସ୍‌ ଅଟକ, ୧୭ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଫାଇନ୍‌ ପ୍ରଶାସନିକ ତତ୍ପରତା

ଥୁଆମୂଳ ରାମପୁର, ୨୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରସାରିତ ହେବା ପରେ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛି। ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ପରେ କଳାହାଣ୍ଡି ଜିଲ୍ଲା ଶ୍ରମ ବିଭାଗ, ଆରଟିଓ ଏବଂ ଥୁଆମୂଳ ରାମପୁର ଥାନା ପୋଲିସର ମିଳିତ ଟିମ୍‌ ଚଢ଼ାଉ କରି କେରଳ ଯାଉଥିବା ଏକ ବେଆଇନ ଦାଦନ ବସ୍‌କୁ ଅଟକ ରଖିଛନ୍ତି। ଗତ ଦୁଇ ସପ୍ତାହ ହେବ ଥୁଆମୂଳ ରାମପୁର ଅଞ୍ଛଳରୁ ବାହାର ରାଜ୍ୟକୁ ଶ୍ରମିକ ନେଉଥିବା ବସ୍‌ ସମ୍ପର୍କରେ ସୂଚନା ମିଳିଥିଲା ମଙ୍ଗଳବାର ଶ୍ରମିକ ନେବାକୁ ଆସିଥିବା ବେଳେ ଆରଟିଓ, ଶ୍ରମ ବିଭାଗ ଓ ପୋଲିସ ପକ୍ଷରୁ କାଠକୁରା ନିକଟରୁ ଗାଡ଼ିଟିକୁ ଅଟକ କରାଯାଇ ଥୁଆମୂଳ ରାମପୁର ଥାନା ପରିସରକୁ ଅଣାଯାଇଛି। ଏହି ଚଢ଼ାଉରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ଏଲଓ ସତ୍ୟବ୍ରତ ଧଳ, ଭବାନୀପାଟଣା ଏଲଓ ଜିତମ୍‌ ମାଝୀ, ଆରଟିଓ ଟ୍ରାଫିକ୍‌ ଇନ୍ସପେକ୍ଟର ମିଥୁନ ପ୍ରଧାନ, ସବ୍ୟସାଚୀ ମିଶ୍ର ଓ ଦେବବ୍ରତ ଶାହ ପ୍ରମୁଖ ଉପସ୍ଥିତ ଥିଲେ। ଆରଟିଓ ପକ୍ଷରୁ ଚାଲାଣ କଟାଗଲା ଯାଞ୍ଚ ସମୟରେ ବସ୍‌ଟିର କୌଣସି ବୈଧ କାଗଜପତ୍ର, ପୋଲ୍ୟୁସନ୍, ଓଡ଼ିଶା ପରମିଟ୍‌, ଓଡ଼ିଶା ଟ୍ୟାକ୍ସ, ଇନ୍ସୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆବଶ୍ୟକୀୟ ଦସ୍ତାବିଜ୍‌ ନଥିବା ସ୍ପଷ୍ଟ ହୋଇଛି। ଏ ନେଇ ଆରଟିଓ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୭ ହଜାରରୁ ୨୦ ହଜାର ଟଙ୍କା ଚାଲାଣ କଟାଯାଇସାରିଛି। ଆଗାମୀ ଦିନରେ ଏହି ଜରିମାନା ରାଶି ଆହୁରି ବୃଦ୍ଧି ପାଇପାରେ, ଯାହା ଜିଲ୍ଲା ମୁଖ୍ୟାଳୟ ଆର୍ଟିଓ ନିର୍ଦ୍ଧାରଣ କରିବେ। ଗାଡ଼ିରେ ଯାଉଥିବା ଅଡିଗୁନା ଗାଁର ଶ୍ରମିକ ଓ ଝୁଲକାଗୁଡ଼ାର ରାଜେଶ ନାଏକ ଏବଂ ତାଙ୍କ ସହ ଆଉ ଦୁଇଜଣ ଯୁବକ ଶ୍ରମିକଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଅଞ୍ଛଳରେ ନିୟମିତ କାମଧନ୍ଦା ମିଳୁନାହିଁ। ସରକାରୀ ଯୋଜନାରେ କାମ ମିଳିଲେ ମଧ୍ୟ ସପ୍ତାହକୁ ମାତ୍ର ୧୫୦ ରୁ ୨୦୦ ଟଙ୍କା ମଜୁରୀ ମିଳୁଛି ଏବଂ ସେହି ଟଙ୍କା ପାଇଁ ମଧ୍ୟ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ପରିବାର ପ୍ରତିପୋଷଣ ପାଇଁ ଅନ୍ୟ କୌଣସି ଉପାୟ ନଥାଏ। ବାହାର ରାଜ୍ୟ କେରଳକୁ ଗଲେ ଦିନକୁ ୧୦୦୦ ରୁ ୧୫୦୦ ଟଙ୍କା ରୋଜଗାର ହୋଇପାରୁଥିବାରୁ, ସେମାନେ ୩୦୦୦ ଟଙ୍କା ଭଡ଼ା ଦେଇ ପ୍ରତି ମଙ୍ଗଳବାର ଯାଉଥିବା ଏହି ବସ୍‌ରେ ଦାଦନ ଖାଟିବାକୁ ବାହାରିଥିଲେ। ବସ୍‌ ଭିତରେ ଯାତ୍ରା କରୁଥିବା ଶ୍ରମିକମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ସଚେତନ କରାଯାଇଛି। ବାହାର ରାଜ୍ୟକୁ ଯିବା ପୂର୍ବରୁ ସରକାରୀ ନିୟମାନୁସାରେ ପଞ୍ଚାୟତ ଓ ଶ୍ରମ ବିଭାଗରେ ନିଜର ନାମ ପଞ୍ଜୀକରଣ କରି ନିରାପଦ ଦାଦନ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ, ଗାଡ଼ିକୁ ଜବତ କରି ଥାନାରେ ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଆଇନଗତ କାଗଜପତ୍ର ଓ ପରମିଟ୍‌ ନଥାଇ ଗାଡ଼ି ନ ଚଳାଇବାକୁ କଡ଼ା ତାଗିଦ୍‌ କରାଯାଇଛି।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ