Hot Posts

6/recent/ticker-posts

ତାରାପଦର ଗାଁକୁ ରାସ୍ତା ସାତସପନ ବର୍ଷାରେ ଧୋଇଗଲା ଯାତାୟାତ ଠପ ଗ୍ରାମବାସୀଙ୍କ ଗୁହାରି ଶୁଣିଲେ ନାହିଁ ପ୍ରଶାସନ ନିଜେ ରାସ୍ତା ମରାମତି କଲେ ଯୁବକ

କଳାହାଣ୍ଡି, ୨୨/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଜତଲାମପଦର ପଞ୍ଚାୟତ ଅଧିନସ୍ଥ ଦୁର୍ଗମ ତାରାପଦର ଗାଁକୁ ଯାତାୟାତ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ । ଗାଁକୁ ସବୁଦିନିଆ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଜନପ୍ରତିନିଧି ଓ ପ୍ରଶାସନଙ୍କ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଲଗାଣ ବର୍ଷା ଯୋଗୁଁ ଗାଁକୁ ସଂଯୋଗ କରୁଥିବା ରାସ୍ତାର ସୁଫେଲ ଝରନ ସମେତ ବିଭିନ୍ନ ସ୍ଥାନରେ ମାଟି ଧୋଇଯାଇଛି । ଫଳରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଏପରିକି ସାଧାରଣ ବାଇକ୍‌ଟିଏ ମଧ୍ୟ ଗାଁକୁ ନେବା କଷ୍ଟକର ହୋଇପଡ଼ିଛି । ବର୍ଷା ସମୟରେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହେଉଥିବାରୁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି । ପ୍ରଶାସନିକ ସ୍ତରରେ ସ୍ଥାୟୀ ସମାଧାନ ନହେବାରୁ ଗାଁର କିଛି ଯୁବକ ସମୁହ ଏବେ ନିଜେ ରାସ୍ତା ମରାମତି କରିବାକୁ ଆଗେଇ ଆସିଛନ୍ତି । ବସନ୍ତ ନାଏକ, ଦଶରଥ ନାଏକ, ସାନୁର୍ଯ୍ୟ ନାଏକ, ବଳଦେବ ନାଏକ ଓ ମନସର ନାଏକଙ୍କ ସମେତ ଅନ୍ୟ ଯୁବକମାନେ ରାସ୍ତାରେ ମାଟି ଓ ପଥର ପକାଇ ଯାତାୟାତକୁ ସ୍ୱାଭାବିକ କରିବାରେ ଲାଗିପଡିଛନ୍ତି । ତାରାପଦର ଗାଁରେ ପ୍ରାୟ ୬୫ ଟି ପରିବାର ବସବାସ କରୁଥିବା ବେଳେ ଗ୍ରାମବାସୀ ରାସ୍ତା ସମେତ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ରାସ୍ତା ଅବସ୍ଥା ଖରାପ ଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁରେ ପହଞ୍ଚିବା କଷ୍ଟକର ହୋଇପଡିଥାଏ । ଏହାସହ ଗାଁରେ ବିଦ୍ୟୁତ ସୁବିଧା ମଧ୍ୟ ଅପହଞ୍ଚ ଥିବା ଗ୍ରାମବାସୀ ଗଣ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଗାଁର ଏହି ସମସ୍ୟାଗୁଡ଼ିକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଦ୍ୟମ ହୋଇଥିବା କୁହାଯାଇଛି । ତଥାପି ସ୍ଥାୟୀ ରାସ୍ତା ନିର୍ମାଣ ଓ ଅନ୍ୟ ମୌଳିକ ସୁବିଧା ଯୋଗାଣ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଦାବି, ତାରାପଦରକୁ ଏକ ସବୁଦିନିଆ ଓ ଯାତାୟାତ ଉପଯୋଗୀ ସ୍ଥାୟୀ ରାସ୍ତା ନିର୍ମାଣ ସହ ଜରୁରୀ କାଳୀନ ସ୍ୱାସ୍ଥ୍ୟସେବା ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରାଯାଉ । ଦୁର୍ଗମ ଅଞ୍ଚଳର ଏହି ଗାଁ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।




କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ