Hot Posts

6/recent/ticker-posts

ବିନା ପାର୍କିଂରେ ସପିଂ ମଲ୍, ଟ୍ରାଫିକ୍‌ରେ ହନ୍ତସନ୍ତ ଧର୍ମଗଡ଼

କଳାହାଣ୍ଡି, ୨୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଧର୍ମଗଡ଼ ସହରରେ ବିକାଶ ନାଁରେ ବଢ଼ୁଛି ଅବ୍ୟବସ୍ଥା। ସହରର ସବୁଠୁ ବ୍ୟସ୍ତ ଚାରି ଛକ ଅଞ୍ଚଳରେ ବିନା ପାର୍କିଂ ବ୍ୟବସ୍ଥାରେ ଚାଲିଛି ସପିଂ ମଲ୍। ଗୋଟିଏ ପଟେ ବସ୍‌ଷ୍ଟପ୍‌, ଅନ୍ୟପଟେ ଶହ ଶହ ଛାତ୍ରଛାତ୍ରୀଙ୍କ ଯାତାୟାତ। ତା’ ଭିତରେ ମଲ୍‌କୁ ଆସୁଥିବା ଗାଡ଼ି ପାଇଁ ନାହିଁ ପାର୍କିଂ ବ୍ୟବସ୍ଥା। ଫଳରେ ରାସ୍ତା ଉପରେ ଗାଡ଼ି ରହୁଛି, ଜାମ୍ ଲାଗୁଛି ଏବଂ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏପରିକି ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ମଧ୍ୟ ରହିଛି ଧର୍ମଗଡ଼ ସହରର ଚାରିଛକ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଯାନବାହନ ଭିଡ଼। ଏହି ଅଞ୍ଚଳରେ ଥିବା ସପିଂ ମଲ୍‌କୁ ଆସୁଥିବା ଗ୍ରାହକଙ୍କ ଗାଡ଼ି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନଥିବାରୁ ଅନେକ ସମୟରେ ରାସ୍ତା କଡ଼ରେ ହିଁ ଗାଡ଼ି ରଖାଯାଉଛି। ଫଳରେ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ଜାମ୍‌ ସୃଷ୍ଟି ହେଉଛି। ବସ୍‌ଷ୍ଟପ୍‌ ନିକଟରେ ଯାତ୍ରୀଙ୍କ ଭିଡ଼ ସହ ଛାତ୍ରଛାତ୍ରୀଙ୍କ ଯାତାୟାତ ଥିବାରୁ ସମସ୍ୟା ଆହୁରି ଗମ୍ଭୀର ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ରାସ୍ତା ଉପରେ ଅନିୟମିତ ପାର୍କିଂ ଯୋଗୁଁ ପ୍ରତିଦିନ ଯାତାୟାତରେ ସମସ୍ୟା ଦେଖାଦେଉଛି। ଏପରି ସ୍ଥିତିରେ ବ୍ୟବସାୟିକ ପ୍ରତିଷ୍ଠାନକୁ ପାର୍କିଂ ବ୍ୟବସ୍ଥା ବିନା କିପରି ଅନୁମତି ମିଳିଲା, ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଜନସାଧାରଣଙ୍କ ସୁରକ୍ଷା ଓ ସୁଗମ ଯାତାୟାତକୁ ଦୃଷ୍ଟିରେ ରଖି ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ କରିବ, ତାହାକୁ ଅପେକ୍ଷା କରିଛନ୍ତି ଧର୍ମଗଡ଼ବାସୀ।