ଆଠ ଦିନ ହେଲା ନଳକୂପ ଅଚଳ, ପାଣି ପାଇଁ ଯାତ୍ରୀ ହନ୍ତସନ୍ତ
କଳାହାଣ୍ଡି, ୨୩/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନ ଜାତୀୟ ରାଜପଥ ୨୬ ର କାଉଡୋଲା ଲକ୍ଷ୍ମୀ ବସ୍ଷ୍ଟପ୍ ନିକଟରେ ଥିବା ନଳକୂପ ଦୀର୍ଘ ୮ ଦିନ ହେବ ଅଚଳ ହୋଇପଡ଼ିଛି। ନଳକୂପର ଚେନ୍ ଛିଡ଼ିଯିବାରୁ ପାଣି ବାହାରୁନାହିଁ। ଫଳରେ ବସ୍ଷ୍ଟପ୍କୁ ଆସୁଥିବା ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ବିଶେଷକରି ଯାତାୟାତ ସମୟରେ ଏହି ନଳକୂପଟି ଯାତ୍ରୀ ଓ ସାଧାରଣ ଲୋକଙ୍କ ପାଇଁ ପିଇବା ପାଣିର ମୁଖ୍ୟ ଉତ୍ସ ରହିଥିଲା। ଏହା ଅଚଳ ହୋଇଯିବାରୁ ଲୋକଙ୍କ ଅସୁବିଧା ବଢ଼ିଛି। ତେବେ ଦୀର୍ଘ ୮ ଦିନ ଧରି ନଳକୂପ ଅଚଳ ରହିଥିଲେ ମଧ୍ୟ ଏହାର ମରାମତି ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ନଳକୂପର ମରାମତି କରି ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକେ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।