Hot Posts

6/recent/ticker-posts

ନୂଆପଡ଼ା ଉପ-କାରାଗାରରୁ ୨୦ ବର୍ଷର ଦଣ୍ଡାଦେଶପ୍ରାପ୍ତ କଏଦୀ ଫେରାର

ନୂଆପଡ଼ା, ୦୭/୦୯ ( ପରମେଶ୍ୱର ମେହେର ) : କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଜେଲରୁ ଯଦି ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ ସହଜରେ ଫେରାର ହୋଇଯାଏ, ତେବେ ଜେଲର ସୁରକ୍ଷା ବ୍ୟବସ୍ଥା କେତେ ସୁଦୃଢ଼ — ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ସୋମବାର ସକାଳେ ନୂଆପଡ଼ା ଉପ-କାରାଗାରରେ ସଫେଇ କାର୍ଯ୍ୟ ଚାଲିଥିବା ସମୟରେ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଜେଲ ହାତାରୁ ଫେରାର ହୋଇଯାଇଛି। ଏହି ଘଟଣା ଜେଲ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରିଛି। ଫେରାର କଏଦୀ ଜଣକ ସିନାପାଲି ଥାନା ଅନ୍ତର୍ଗତ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ମାଝୀ (୩୦) ବୋଲି ଜଣାପଡ଼ିଛି। ସୋମବାର ସକାଳ ପ୍ରାୟ ୮ଟା ସମୟରେ ଜେଲ ପରିସରରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ସେ ସୁଯୋଗ ନେଇ ଫେରାର ହୋଇଥିବା ଜେଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଘଟଣା ପ୍ରଘଟ ହେବା ପରେ ଜେଲ ପରିସରରେ ହଠାତ୍ ଚାଞ୍ଚଲ୍ୟ ଖେଳିଯାଇଥିଲା। ତୁରନ୍ତ ହାଇ ଆଲର୍ଟ ଜାରି କରାଯିବା ସହ ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ ହୋଇଛି। ସମ୍ଭାବ୍ୟ ରାସ୍ତା ଓ ଅଞ୍ଚଳ ଉପରେ ନଜର ରଖାଯାଇଛି। ସୂଚନା ଅନୁଯାୟୀ, ବିଶ୍ୱବିହାରୀ ୨୦୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୨୩ ମସିହାରେ ନୂଆପଡ଼ା କୋର୍ଟ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଇଥିଲେ। ଏଭଳି ଗୁରୁତର ମାମଲାରେ ଦଣ୍ଡିତ ଜଣେ କଏଦୀ ଜେଲ ହାତାରୁ ଫେରାର ହୋଇଯିବା ଘଟଣାକୁ ନେଇ ସାଧାରଣରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନୂଆପଡ଼ା ଉପ-କାରାଗାର ସୁପରିଣ୍ଟେଣ୍ଡେଣ୍ଟ ବଳରାମ ବିଶି ମାଝୀ ସ୍ୱୀକାର କରିଛନ୍ତି। ତେବେ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ କଏଦୀ କିପରି ଜେଲ ପରିସରରୁ ବାହାରିଗଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ସଫେଇ କାର୍ଯ୍ୟ ସମୟରେ କଏଦୀମାନଙ୍କ ଉପରେ ନଜରଦାରି କେତେ ଥିଲା? ସୁରକ୍ଷାକର୍ମୀମାନେ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇଥିଲେ କି? ଜେଲ ହାତାରୁ ବାହାରିବା ସମୟରେ କାହାରି ନଜରକୁ ଏହା କିପରି ଆସିଲା ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଜେଲ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ଆଙ୍ଗୁଳି ଉଠାଇଛି। ଘଟଣା ପଛରେ କାହାର ଅବହେଳା ରହିଛି ଏବଂ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ହୋଇଛି, ସେନେଇ ତଦନ୍ତ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ତେବେ କେବଳ ତଦନ୍ତ ଓ ହାଇ ଆଲର୍ଟ ଜାରି କରିଦେଲେ ଦାୟିତ୍ୱ ସରିଯିବ କି, ନା ସୁରକ୍ଷାରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ମଧ୍ୟ ଜବାବଦେହି ନିର୍ଦ୍ଧାରଣ ହେବ — ତାହା ଏବେ ଦେଖିବାର ବିଷୟ। ଜେଲ ଭଳି ସମ୍ବେଦନଶୀଳ ସ୍ଥାନରୁ ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀଙ୍କ ଫେରାର ଘଟଣାକୁ ପ୍ରଶାସନ କେତେ ଗମ୍ଭୀରତାର ସହ ନେଉଛି ଏବଂ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।