Hot Posts

6/recent/ticker-posts

ସରଗିପାଣି ଗାଁକୁ ଏପର୍ଯ୍ୟନ୍ତ ନାହିଁ ପକ୍କା ରାସ୍ତା, ଯାତାୟାତ ସମସ୍ୟା ନେଇ ଗ୍ରାମବାସୀଙ୍କ ଦାବି

ଝରିଗାଁ, ୨୦/୦୯ (ନକୁଳ ଭତରା) : ଝରିଗାଁ ବ୍ଲକ ସଦରଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା କୁଟ୍ରୀଛାପର ପଞ୍ଚାୟତର ସରଗିପାଣି (ଖଟଲାଦୋରା) ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଗାଁର ୧୫ଟି ପରିବାର ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। କୁଟ୍ରୀଛାପର ପଞ୍ଚାୟତର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ସରଗିପାଣି ଗାଁରେ ପ୍ରାୟ ୭୦ ବର୍ଷ ଧରି ଗୌଡ଼ ସମ୍ପ୍ରଦାୟର ୧୫ଟି ପରିବାର ବସବାସ କରୁଥିବା ଗ୍ରାମବାସୀ କହିଛନ୍ତି। ଗାଁରେ ଗୋଟିଏ ନଳକୂପ ଓ ବିଦ୍ୟୁତ୍‌ ସେବା ରହିଥିବା ବେଳେ ଯାତାୟାତ ପାଇଁ ସୁବିଧାଜନକ ରାସ୍ତା ନଥିବା ସେମାନଙ୍କ ଅଭିଯୋଗ। ଗ୍ରାମବାସୀଙ୍କ ଅନୁଯାୟୀ, ଗାଁକୁ ଯିବା ପାଇଁ ଥିବା ରାସ୍ତାଟି ସଂକୀର୍ଣ୍ଣ ଓ ଖାଲଢେପରେ ଭର୍ତ୍ତି। ପ୍ରାୟ ଦୁଇ ଫୁଟରୁ କମ୍‌ ଓସାରର ପାଦଚଲା ରାସ୍ତା ଦେଇ ଲୋକେ ଯାତାୟାତ କରୁଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ମକା ଚାଷ ହୋଇଥିବାରୁ ସନ୍ଧ୍ୟା ପରେ ଯାତାୟାତରେ ଅସୁବିଧା ହେଉଥିବା ସେମାନେ କହିଛନ୍ତି। ବର୍ଷା ଦିନେ କାଦୁଅ ଓ ପାଣି ଯୋଗୁଁ ରାସ୍ତାରେ ଯାତାୟାତ ଅଧିକ କଷ୍ଟକର ହେଉଥିବା ଅଭିଯୋଗ ହୋଇଛି। ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ବୟସ୍କଙ୍କୁ ଗାଁ ବାହାରକୁ ନେବା ସହିତ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଯାତାୟାତରେ ମଧ୍ୟ ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି। ଗାଁର ପ୍ରାୟ ୨୦ ଜଣ ଶିଶୁ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନଙ୍କ ଦାବି। ଏ ନେଇ ଗ୍ରାମବାସୀ ପଦମା ଗୌଡ଼, ସବିତା ଗୌଡ଼, ଫୁଲମତି ଗୌଡ଼, ଗୋମତୀ ଗୌଡ଼, ଲକ୍ଷ୍ମୀ ଗୌଡ଼, ନବିନା ଗୌଡ଼, ହିମା ଗୌଡ଼, ଡାଳିମ୍ବ ଗୌଡ଼, ଦେବକୀ ଗୌଡ଼, ଚମ୍ପା ଗୌଡ଼, ଯମୁନା ଗୌଡ଼ଙ୍କ ସମେତ କମଳଚନ ଗୌଡ଼, ଧନ ଗୌଡ଼, ଶ୍ୟାମ ଗୌଡ଼, ଆନନ୍ଦ ଗୌଡ଼, ଜଗନ୍ନାଥ ଗୌଡ଼, ଜଗୁ ଗୌଡ଼, ଲବ ଗୌଡ଼ ଓ ଦେବ ଗୌଡ଼ ପ୍ରମୁଖ ଗାଁକୁ ରାସ୍ତା ନିର୍ମାଣ ଦାବି କରିଛନ୍ତି। ରାସ୍ତା ନିର୍ମାଣ ସମ୍ପର୍କରେ କୁଟ୍ରୀଛାପର ସରପଞ୍ଚ ବୃନ୍ଦି ସାନ୍ତାଙ୍କୁ ପଚାରିବାରୁ, ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ଶସ୍ୟ ଅମଳ ପରେ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଥିବା ଜଣାପଡ଼ିଛି। ତେବେ ରାସ୍ତା ନିର୍ମାଣ ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ଏବଂ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟା କେବେ ଦୂର ହେବ, ତାହାକୁ ନେଇ ଅପେକ୍ଷାରେ ରହିଛନ୍ତି ସରଗିପାଣିବାସୀ।