Hot Posts

6/recent/ticker-posts

ଆଇଁଲି ଗାଁରେ ମଦ ବନ୍ଦ ଦାବିରେ ଶତାଧିକ ମହିଳାଙ୍କ ରାଲି

କୋକସରା, ୨୨/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ପଞ୍ଚାୟତ ଅନ୍ତର୍ଗତ ଆଇଁଲି ଗ୍ରାମରେ ମଦ ବନ୍ଦ ଦାବିକୁ ନେଇ ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗାଁରେ ଚୋରା ମଦ କାରବାର ବଢ଼ିବା ଏବଂ ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରି ମହିଳାମାନେ ଗାଁରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି କରିଛନ୍ତି।ସୂଚନା ଅନୁଯାୟୀ, ଆଇଁଲି ଗ୍ରାମର ଶତାଧିକ ମହିଳା ପ୍ରଥମେ ଏକତ୍ରିତ ହୋଇ ଗାଁ ପରିକ୍ରମା କରିଥିଲେ। ଏହି ସମୟରେ ‘ଗାଁରେ ମଦ ବନ୍ଦ ଆମର ଦାବି’ ଭଳି ନାରା ଦେଇ ମଦ ବିରୋଧରେ ସ୍ୱର ଉଠାଇଥିଲେ। ପରେ ମହିଳାମାନେ କୋକସରା ଆସି ଏକ ରାଲିରେ ଥାନାରେ ପହଞ୍ଚିଥିଲେ। ସେଠାରେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଗାଁରେ ଚାଲିଥିବା ବେଆଇନ ମଦ କାରବାର ଉପରେ କଠୋର ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହାପରେ କୋକସରା ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ମହିଳାମାନେ ପହଞ୍ଚି ବିଡିଓଙ୍କୁ ଦାବିପତ୍ର ଦେଇଥିଲେ। ଗାଁରେ ମଦ୍ୟପାନ ଯୋଗୁଁ ପରିବାରିକ ଅଶାନ୍ତି ଓ ବିଶୃଙ୍ଖଳା ବଢ଼ୁଥିବା ସହ ଅନେକ ପରିବାର ଆର୍ଥିକ ସଙ୍କଟରେ ପଡ଼ୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦ ପାଇଁ ଅର୍ଥ ନଥିଲେ ଘରର ଆସବାବପତ୍ର ଓ ସୁନାଗହଣା ପର୍ଯ୍ୟନ୍ତ ବନ୍ଧକ ରଖାଯାଉଥିବା ଅଭିଯୋଗ ମଧ୍ୟ ସେମାନେ କରିଛନ୍ତି। ଏହାର ପ୍ରଭାବରେ ପିଲାମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଥିବା ସେମାନଙ୍କ କହିବା କଥା।ମହିଳାମାନଙ୍କ ଅଭିଯୋଗ ଅନୁସାରେ, ଆଇଁଲି ଗ୍ରାମରେ କୌଣସି ମଦ କୋଠି ନଥିଲେ ମଧ୍ୟ ଚୋରା ମଦ କାରବାର ବଢ଼ି ଚାଲିଛି। ଏହି ମଦ କେଉଁଠାରୁ ଆସୁଛି ଏବଂ କିଏ ଏହା ପଛରେ ରହିଛି, ତାହାର ତଦନ୍ତ କରିବା ସହ ଚୋରା ମଦ ବିକ୍ରେତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସେମାନେ ପୋଲିସ ଓ ଅବକାରୀ ବିଭାଗକୁ ଦାବି କରିଛନ୍ତି।ଏଥିସହ ଲଡ଼ୁଗାଁ ମଦଭାଟିରୁ ମଦ କୋଠି ନଥିବା ଗାଁଗୁଡ଼ିକୁ ମଦ ଯୋଗାଣ ହେଉଥିବା ନେଇ ମଧ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି। ଲଡ଼ୁଗାଁ ମଦଭାଟିକୁ ବନ୍ଦ କରିବା ସହ ମଦ ଯୋଗାଣ ଓ ବିକ୍ରି ସମ୍ପର୍କରେ ତଦନ୍ତ କରିବାକୁ ଦାବି ହୋଇଛି। ମଦରେ ବିଷାକ୍ତ ପଦାର୍ଥ ମିଶ୍ରଣ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବା ନେଇ ମଧ୍ୟ ମହିଳାମାନେ ଉଦବେଗ ପ୍ରକାଶ କରିଛନ୍ତି।ଗାଁରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିବା ପର୍ଯ୍ୟନ୍ତ ମଦ ବିରୋଧୀ ଅଭିଯାନ ଜାରି ରଖିବାକୁ ମହିଳାମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ଏବେ ପ୍ରଶାସନ, ପୋଲିସ ଓ ଅବକାରୀ ବିଭାଗ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି ଏବଂ ଚୋରା ମଦ କାରବାର ଉପରେ କିପରି ରୋକ ଲଗାଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।