ଲମ୍ବାବାଡ଼ିରେ ଗ୍ରାମ୍ୟ ଆଇନ ସହାୟତା କ୍ଲିନିକ୍ ଉଦ୍ଘାଟିତ ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚିବ ଆଇନ ସେବା ଓ ସଚେତନତା
ଖଜୁରୀପଡ଼ା, ୦୧/୦୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡ଼ା ଗ୍ରାମପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଗ୍ରାମ୍ୟ ଆଇନ ସହାୟତା କ୍ଲିନିକ୍ ଉଦ୍ଘାଟିତ ହୋଇଛି। ମଙ୍ଗଳବାର ଲମ୍ବାବାଡ଼ି କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା ଯୋଗଦେଇ କ୍ଲିନିକ୍ର ଶୁଭ ଉଦ୍ଘାଟନ କରିଥିଲେ। ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ପକ୍ଷରୁ ଆୟୋଜିତ ମେଗା ଡ୍ରାଇଭ୍ର ଅଂଶ ଭାବେ ଏହି କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ଆଇନ ସେବା ଓ ଆଇନ ସଚେତନତା ପହଞ୍ଚାଇବା ସହ ଆବଶ୍ୟକତା ଅନୁଯାୟୀ ସରକାରୀ କଲ୍ୟାଣମୂଳକ ଯୋଜନାର ସୁଯୋଗ ହାସଲରେ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ଅସହାୟ, ଦୁର୍ବଳ ଓ ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ଏହି କ୍ଲିନିକ୍ ଉପକାରୀ ହେବ ବୋଲି କୁହାଯାଇଛି।କ୍ଲିନିକ୍ ପ୍ରତିଷ୍ଠା ହେବା ଫଳରେ ଲମ୍ବାବାଡ଼ି ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ନିଜ ଅଞ୍ଚଳରେ ଆଇନ ସମ୍ବନ୍ଧୀୟ ପରାମର୍ଶ, ଆଇନ ସହାୟତା ଓ ଆବଶ୍ୟକ ସେବା ପାଇପାରିବେ। ଏହା ଦ୍ୱାରା ଦୁର୍ଗମ ଗ୍ରାମାଞ୍ଚଳରେ ନ୍ୟାୟିକ ସେବାର ପହଞ୍ଚି ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି। ଉଦ୍ଘାଟନ ପରେ ଲମ୍ବାବାଡ଼ି ସେବାଶ୍ରମ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ NALSA ମେଗା ଡ୍ରାଇଭ୍ର ଉଦ୍ଦେଶ୍ୟ, ଆଇନ ସହାୟତା ପାଇବାର ବ୍ୟବସ୍ଥା, ବିଭିନ୍ନ ଆଇନ ସେବା ଓ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ନିଜର ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହୋଇ ଆବଶ୍ୟକ ସମୟରେ ଆଇନ ସହାୟତା ଗ୍ରହଣ କରିବାକୁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରମାକାନ୍ତ ମହାନ୍ତି, ଖଜୁରୀପଡ଼ା ବିଡିଓ ଦତ୍ତାତ୍ରେୟ ବାହିନୀପତି, ଡିଏସ୍ପି ବିବେକାନନ୍ଦ ସ୍ୱାଇଁ, ଏଡିପିଏଚ୍ଓ ଡାକ୍ତର ଶୁଭେନ୍ଦୁନାଥ ସିଂ, ଖଜୁରୀପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ, ଖଜୁରୀପଡ଼ା ଥାନାଧିକାରୀ ଚାପଧାରୀ ପ୍ରଧାନ, ସିଡିପିଓ, ଲମ୍ବାବାଡ଼ି ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।