ବୀରମହାରାଜପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି:୫୫ଟି ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର, ୨୧/୦୯ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଉପଖଣ୍ଡ ପୋଲିସ (ଥାନା) ଅଧିକାରୀ, ବୀରମହାରାଜପୁର ଶ୍ରୀ ହେମନ୍ତ ରାଓ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୫୫ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିବାବେଳେ, ସେଥି ମଧ୍ୟରୁ ୫୦ଟି ବ୍ୟକ୍ତିଗତ, ୪ଟି ସାମୁହିକ ଓ ୧ ଟି CMRF ଦରଖାସ୍ତ ଗ୍ରହଣ ହୋଇଥିଲା। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀ ସୁରେନ୍ଦ୍ର ମେହେର, ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ଡାକ୍ତର ଉଷାରାଣୀ ଦାଶ ଏବଂ ମାନ୍ୟବର ସାଂସଦ ବଲାଙ୍ଗିରର ପ୍ରତିନିଧି ଶ୍ରୀମତୀ ନଲିନୀ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୀରମହାରାଜପୁର ଶ୍ରୀ ରାଜୀବ ହାଂସଦା ଦ୍ୱାରା ଆୟୋଜିତ ଏହି ଶିବିରରେ ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।