Hot Posts

6/recent/ticker-posts

ବିଡ୍ରି ଭାସ୍କେଲ ନଦୀରୁ ଝାଡ଼େଶ୍ୱର ପୀଠକୁ ବୋଲ ବମ୍ ଯାତ୍ରା

ଝରିଗାଁ, ୦୩/୦୮ ( ନକୁଳ ଭତରା ) : ଶ୍ରାବଣ ମାସର ପବିତ୍ର ସୋମବାର ଅବସରରେ ଝରିଗାଁ ବ୍ଲକ୍‌ର ବିଡ୍ରି ଭାସ୍କେଲ ନଦୀକୂଳରେ ଭକ୍ତି ଓ ଆସ୍ଥାର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ରାଇଘର, ଉମରକୋଟ ଓ ବକଡ଼ାବେଡ଼ା ଅଞ୍ଚଳର ଶତାଧିକ କାଉଡ଼ିଆ ଭକ୍ତ ନଦୀରୁ ପବିତ୍ର ଜଳ ସଂଗ୍ରହ କରି ‘ବୋଲ ବମ୍’ ଧ୍ୱନି ଦେଇ ବିଭିନ୍ନ ଝାଡ଼େଶ୍ୱର ପୀଠ ଅଭିମୁଖେ ପଦଯାତ୍ରା କରିଥିଲେ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତମାନଙ୍କ ଉତ୍ସାହରେ କୌଣସି ଭାଟା ପଡ଼ିନଥିଲା। ନଦୀକୂଳରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଭକ୍ତମାନେ ମାଟି କଳସରେ ପବିତ୍ର ଜଳ ଭରି ଗେରୁଆ ବସ୍ତ୍ର ପରିଧାନ କରି, ଖାଲି ପାଦରେ କାନ୍ଧରେ କାଉଡ଼ି ବୋହି ‘ହର ହର ମହାଦେବ’ ଓ ‘ବୋଲ ବମ୍’ ଧ୍ୱନି ମଧ୍ୟରେ ଯାତ୍ରା ଆରମ୍ଭ କରିଥିଲେ। ଏହି ଧାର୍ମିକ ଶୋଭାଯାତ୍ରାରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସାହିତ ହୋଇ ଉଠିଥିଲା। ବକଡ଼ାବେଡ଼ା ଅଞ୍ଚଳରୁ ପ୍ରଭାକର ଗୌଡ଼, ଚିତ୍ରସେନ କଳାର, ସୀମାଞ୍ଚଳ ଭତରା, ଇଶ୍ୱର ଭତରା, ସମରୁ ଗୌଡ଼, ସଇନ୍ଦ୍ର ଭତରା, ବାପି ବାରିକ, ଲମ୍ବୁ କଳାର, ଡମୁନି କଳାର, ରାଜା ଗୌଡ଼ ଓ ପଦୁ ଗୌଡ଼ ପ୍ରମୁଖ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଥିଲେ |ଝାଡ଼େଶ୍ୱର ପୀଠରେ ପହଞ୍ଚି ଭକ୍ତମାନେ ମହାଦେବଙ୍କ ଶିବଲିଙ୍ଗରେ ପବିତ୍ର ଜଳାଭିଷେକ କରିବେ ବୋଲି ଜଣାପଡ଼ିଛି। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଏହି ବୋଲ ବମ୍ ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହେଉଛି।