Hot Posts

6/recent/ticker-posts

ହର ଘର ତିରଙ୍ଗା ଅଭିଯାନରେ ମୋଟରସାଇକେଲ ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ, ୧୩/୦୮ ( କାହୁଁ ଚରଣ ବାରିକ ) : ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଜନମାନସରେ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ହର ଘର ତିରଙ୍ଗା’ ଅଭିଯାନ ଦେଶବ୍ୟାପୀ ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ‘ହର ଘର ତିରଙ୍ଗା’ ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସ୍କାଉଟ ଗାଇଡର ଛାତ୍ରଛାତ୍ରୀଙ୍କ ସମେତ ବିଭାଗୀୟ କର୍ମଚାରୀ ତଥା ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ସଦସ୍ୟମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ମିଶ୍ର ନିଜେ ମୋଟରସାଇକେଲ ଚଳାଇ ଶୋଭାଯାତ୍ରାରେ ଭାଗ ନେଇଥିବା ଚାଳକ ମାନଙ୍କୁ ଉତ୍ସାହିତ କରିଥିଲେ । ଉପ ଆୟୁକ୍ତ, ପୁଲିସ ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲ ,କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ପ୍ରମୁଖଙ୍କ ଉପସ୍ଥିତରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ ଜେନାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଶୋଭାଯାତ୍ରା ନେତାଜୀ ସ୍ମାରକୀସ୍ଥଳ ଠାରୁ ବାହାରି ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ଲୋକନୃତ୍ୟ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ କଟକ ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମକୁ ସ୍ମରଣ କରିବା ସହ ଏହି ସ୍ମୃତିକୁ ଜନମାନସରେ ଆହୁରି ସୁଦୃଢ଼ କରିବା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ । ଦେଶକୁ ଆହୁରି ଆଗକୁ ନେବା ସହ ଆତ୍ମନିର୍ଭର ଭାରତ ଗଢିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ବୋଲି ମାନ୍ୟବର ବିଧାୟକ କହିଥିଲେ । ସୂଚନାଯୋଗ୍ୟ ତା ୧୪.୦୮.୨୦୨୬ ରିଖ ଅପରାହ୍ନ ୪ ଘଟିକା ସମୟରେ ଗଡଗଡିଆ ଘାଟରେ ସାମୁହିକ ବନ୍ଦେ ମାତରମ୍ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।