ଶ୍ରାବଣର ଦ୍ୱିତୀୟ ସୋମବାରରେ ଶରଣକୁଳ ଶୈବପୀଠରେ କାଉଡ଼ିଆ ଭକ୍ତଙ୍କ ଭିଡ଼
ନୟାଗଡ, ୦୩/୦୮ (ସୁଧିର କୁମାର ଦାସ) : ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ନୟାଗଡ ଜିଲ୍ଲା ଶରଣକୁଳସ୍ଥିତ ପ୍ରସିଦ୍ଧ ଶୈବପୀଠରେ କାଉଡ଼ିଆ ଭକ୍ତଙ୍କ ବ୍ୟାପକ ସମାଗମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବା ପାଇଁ ଭକ୍ତମାନେ କୁସୁମୀ ନଦୀରୁ ପବିତ୍ର ଜଳ ସଂଗ୍ରହ କରିଥିଲେ। ନଦୀରେ ସ୍ନାନ କରି ଓଦା ବସ୍ତ୍ରରେ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିବା ପରେ କଳସୀରେ ଜଳ ଧରି ଶ୍ରୀ ଲଡୁବାବାଙ୍କ ପୀଠ ଅଭିମୁଖେ ପଦଯାତ୍ରା କରିଥିଲେ। ପୁରାଣ ଅନୁଯାୟୀ, ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ ପୁଣ୍ୟଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଥିଲେ। ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଶରଣକୁଳ ପ୍ରଶାସନ ପକ୍ଷରୁ ସୁରକ୍ଷା, ପାନୀୟ ଜଳ, ଖାଦ୍ୟ ଓ ରହଣି ବ୍ୟବସ୍ଥା ସହ ଆବଶ୍ୟକ ସମସ୍ତ ସୁବିଧା କରାଯାଇଥିଲା।