Hot Posts

6/recent/ticker-posts

ମା' ମଝିଘରିଆଣୀଙ୍କ ହୁଣ୍ଡି ଖୋଲିଲା, ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା ସହ ସୁନା-ରୂପା

ରାୟଗଡ଼ା, ୩୧/୦୮ (ଭି. ଗୌରୀ ଶଙ୍କର ରାଓ): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ସୋମବାର ଖୋଲାଯାଇଛି। ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏବଂ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡିରୁ ମିଳିଥିବା ଦାନ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ଗଣତି କରାଯାଇଥିଲା। ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋଟ ୯ଟି ହୁଣ୍ଡିର ଗଣତି କରାଯାଇଥିଲା। ଏହି ଗଣତି ପ୍ରକ୍ରିୟାରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ। ଗଣତି ପରେ ହୁଣ୍ଡିରୁ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା, ୬୪ ଗ୍ରାମ ସୁନା, ୧ କିଲୋ ୭୬୪ ଗ୍ରାମ ରୂପା ଏବଂ ୧୧ଟି ବିଦେଶୀ ମୁଦ୍ରା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ପୂର୍ବରୁ ମନ୍ଦିରର ହୁଣ୍ଡି ଗଣତିରୁ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ମିଳିଥିଲା। ଚଳିତ ଥର ମଧ୍ୟ ବିପୁଳ ପରିମାଣର ଦାନ ଅର୍ଥ ମିଳିବା ପରେ ମନ୍ଦିର ପ୍ରତି ଭକ୍ତଙ୍କ ଆସ୍ଥା ଓ ଶ୍ରଦ୍ଧାର ପ୍ରତିଫଳନ ବୋଲି କୁହାଯାଉଛି। ହୁଣ୍ଡି ଗଣତିରେ ନିୟୋଜିତ ମହିଳା ସ୍ୱେଚ୍ଛାସେବୀମାନେ ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି। ଗଣତିରୁ ମିଳିଥିବା ସମସ୍ତ ଅର୍ଥ ୟୁନିଅନ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। ମନ୍ଦିରର ବିକାଶ ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଏହି ଅର୍ଥ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି।