Hot Posts

6/recent/ticker-posts

ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ ନିର୍ଦ୍ଦେଶକଙ୍କ ନୂଆପଡ଼ା ଗସ୍ତ

ନୂଆପଡ଼ା, ୧୫/୦୭ ( ପରମେଶ୍ୱର ମେହେର ) : ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ (ଏସ୍‌.ସି. ଆଣ୍ଡ ୱାଟରସେଡ୍ ଡେଭେଲପମେଣ୍ଟ) ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, ଦୁଇଦିନିଆ ଗସ୍ତରେ ଆଜି ନୂଆପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ, ଜଳବିଭାଜିକା ବିକାଶ ଏବଂ ପ୍ରାକୃତିକ ସମ୍ପଦର ସ୍ଥାୟୀ ପରିଚାଳନା କ୍ଷେତ୍ରରେ ଚାଲିଥିବା କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗସ୍ତ ଅବସରରେ ଉପନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍), ନୂଆପଡ଼ା ସନ୍ତୋଷ କୁମାର ରଥଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ ବିଭାଗ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, କାର୍ଯ୍ୟର ଗୁଣବତ୍ତା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କ୍ଷେତ୍ରସ୍ତରରେ ଅଧିକ ପ୍ରଭାବଶାଳୀ ଫଳାଫଳ ହାସଲ ପାଇଁ ନିର୍ଦ୍ଦେଶକ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଜିଲ୍ଲାପାଳ ମଧ୍ୟ ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକୁ ଜନହିତ ଦୃଷ୍ଟିରୁ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଭାଗର ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକ ପରେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଓ ଜିଲ୍ଲାପାଳ ନୂଆପଡ଼ା ବ୍ଲକ ଅନ୍ତର୍ଗତ ସାରାବଙ୍ଗ ପଞ୍ଚାୟତର ଭୈଷିମୁଣ୍ଡି ଗ୍ରାମରେ କୃଷକ ଆନନ୍ଦରାମ ପଟେଲଙ୍କ ଆମ୍ବ ବଗିଚା ପରିଦର୍ଶନ କରିଥିଲେ। ସେଠାରେ ଆମ୍ବ ଚାରା ରୋପଣ କରିବା ସହ ବଗିଚାର ବିକାଶ, ମୃତ୍ତିକା ସଂରକ୍ଷଣ ଓ ଜଳର ସୁପରିଚାଳନା ମାଧ୍ୟମରେ ଉଦ୍ୟାନ କୃଷିର ସମ୍ଭାବନାକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ପଣ୍ଡା ଓ ଜିଲ୍ଲାପାଳ ନୂଆପଡ଼ା ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତର ଲୋଦ୍ରା ଗ୍ରାମସ୍ଥିତ ଗୋଧାସ ଜଳପ୍ରପାତ ପରିଦର୍ଶନ କରି ସମ୍ଭାବ୍ୟ ସ୍ପ୍ରିଙ୍ଗସେଡ୍ ବିକାଶ ପ୍ରକଳ୍ପ ପାଇଁ ସ୍ଥଳ ଯାଞ୍ଚ କରିଥିଲେ। ପ୍ରାକୃତିକ ଜଳଉତ୍ସର ସଂରକ୍ଷଣ, ଭୂତଳ ଜଳର ପୁନଃଭରଣ ଏବଂ ସ୍ଥାୟୀ ଜଳ ପରିଚାଳନା ନିମନ୍ତେ ଉକ୍ତ ସ୍ଥାନରେ ସ୍ପ୍ରିଙ୍ଗସେଡ୍ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଜଳବିଭାଜିକା ନିର୍ଦ୍ଦେଶକଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା, ପ୍ରାକୃତିକ ସମ୍ପଦର ବୈଜ୍ଞାନିକ ପରିଚାଳନା ଏବଂ ଜଳବିଭାଜିକା ବିକାଶ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।