ବିନା ସୂଚନା ଫଳକରେ ଉତ୍କେଲାରେ ଖୋଲା ଜିମ୍ ନିର୍ମାଣ; ନିମ୍ନମାନର କାମ ଅଭିଯୋଗ, ବିକାଶ ମଞ୍ଚର ପ୍ରତିବାଦ
କେସିଙ୍ଗା, ୧୨/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତରେ ନିର୍ମାଣାଧୀନ ଏକ ଖୋଲା ଜିମ୍କୁ ନେଇ ବିବାଦ ଦେଖାଦେଇଛି। କାମ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ସତ୍ତ୍ୱେ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ନଥିବାରୁ କେଉଁ ବିଭାଗ ଦ୍ୱାରା କାମ ହେଉଛି, ପ୍ରକଳ୍ପର ମୂଲ୍ୟ କେତେ ଏବଂ କେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଉଛି ସେନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଏନେଇ ଉତ୍କେଲା ବିକାଶ ମଞ୍ଚ ଅସନ୍ତୋଷ ପ୍ରକାଶ କରିଛି। ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନ ପଖାନ ବନ୍ଧ ନିକଟରେ ଖୋଲା ଜିମ୍ର ନିର୍ମାଣ କାମ ଜୋରସୋରରେ ଚାଲିଛି। ତେବେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନଥିବାରୁ କାମ କେଉଁ ବିଭାଗ କରୁଛି, ଠିକା ସଂସ୍ଥା କିଏ ଏବଂ ପ୍ରକଳ୍ପର ଆର୍ଥିକ ବ୍ୟୟ କେତେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ବିକାଶ ମଞ୍ଚର ଅଭିଯୋଗ ଅନୁଯାୟୀ, କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଜେଇଙ୍କ ଉପସ୍ଥିତି ନଥାଇ କେବଳ ଜଣେ ମୁନସୀଙ୍କ ମାଧ୍ୟମରେ କାମ କରାଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଉତ୍କେଲା ବିକାଶ ମଞ୍ଚର ପ୍ରତିନିଧି ଦଳ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ଯେ, କାମରେ ଶସ୍ତା ସିମେଣ୍ଟ ଓ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଏହାର ପ୍ରତିବାଦରେ ସେମାନେ କିଛି ସମୟ ପାଇଁ କାମ ବନ୍ଦ କରିଥିଲେ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଓ କାର୍ଯ୍ୟ ସ୍ଥଳରେ ରହି କାମ ବନ୍ଦ କରିଥିଲେ, ବିକାଶ ମଞ୍ଚର ପ୍ରତିନିଧି ଦଳରେ ଅନିରୁଦ୍ଧ ସାହୁ, ସମ୍ପାଦକ ଟଙ୍କା ନାଏକ, ଗିରିଜା ବେହେରା ଓ ସମସ୍ତ ବିକାଶ ମଞ୍ଚ ର ପ୍ରତିନିଧି ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।