Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥତା କାମନାରେ ଦୀପଦାନ

ବିଂଝାରପୁର, ୧୦/୦୬ (ପ୍ରଦୀପ କୁମାର ମଲ୍ଲିକ) : ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦୀର୍ଘ ସମୟ ଧରି ନିରବିଚ୍ଛିନ୍ନ ଭାବେ ଜନସେବା ଓ ରାଜନୀତି କରି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱସ୍ତରରେ ଭାରତର ଗୌରବକୁ ନୂତନ ଉଚ୍ଚତାକୁ ନେବାରେ ସକ୍ଷମ ହୋଇଛନ୍ତି। ବିକଶିତ ଭାରତ ଗଠନ, ଆତ୍ମନିର୍ଭର ଭାରତର ସ୍ୱପ୍ନ, ଗରିବ କଲ୍ୟାଣ ଯୋଜନା ଓ ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ତାଙ୍କର ନେତୃତ୍ୱକୁ ସାଧାରଣ ଲୋକେ ପ୍ରଶଂସା କରୁଛନ୍ତି। ଦେଶର ସର୍ବାଙ୍ଗୀନ ଉନ୍ନତି ଓ ଜନକଲ୍ୟାଣ ପ୍ରତି ତାଙ୍କର ଅବିରତ ପ୍ରୟାସ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ, ସୁସ୍ଥତା ଓ ଅବିରତ ଜନସେବା କାମନା କରି ଆଜି ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଠାରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବବିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମା’ ଦରିଆ ନାହାକାଣୀ ମନ୍ଦିର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଶତାଧିକ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଶ୍ରୀମତୀ ମଲ୍ଲିକ ମା’ ଦରିଆ ନାହାକାଣୀଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ଦେଶସେବା ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉପସ୍ଥିତ କର୍ମୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତାଙ୍କର ଦୃଢ଼ ନେତୃତ୍ୱ, ଉନ୍ନୟନମୂଳକ ଚିନ୍ତାଧାରା ଏବଂ ରାଷ୍ଟ୍ରହିତ ପ୍ରତି ଅଙ୍ଗୀକାର ଦେଶବାସୀଙ୍କ ମନରେ ନୂତନ ଆଶା ଓ ବିଶ୍ୱାସ ସଞ୍ଚାର କରିଛି। ଦୀପଦାନ କାର୍ଯ୍ୟକ୍ରମ ଶେଷରେ ସମସ୍ତେ ମିଳିତ ଭାବେ ଦେଶର ପ୍ରଗତି, ଶାନ୍ତି ଓ ସମୃଦ୍ଧି ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ |