ଜୟନ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ବେସାହାରା ଏବେ ତାଙ୍କ ପରିବାର
ଧାମନଗର, ୦୨/୦୬ (ନିରୋଜ କୁମାର ସେଠୀ) : ଦିନଥିଲା ଜୟନ୍ତଙ୍କ କାନ୍ଧ ଉପରେ ଥିଲା ସମ୍ପୂର୍ଣ ପରିବାରର ବୋଝ. ଦିନରାତି ପରିଶ୍ରମ କରି ଯାହା ରୋଜଗାର କରୁଥିଲେ,ସେଥିରେ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟୁଥିଲା. ହେଲେ ଭାଗ୍ୟ ସାଜିଲା ବଇରୀ, ଏହି କିଛି ଦିନ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ କିଛି କାମ ନ ମିଳିବାରୁ ଢେଙ୍କାନାଳକୁ ଦାଦନ ଖଟିବାକୁ ଯାଉଥିଲେ ଜୟନ୍ତ. ଯିବା ରାସ୍ତା କାମାକ୍ଷାନଗର ନିକଟରେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲେ ଜୟନ୍ତ, ସ୍ଥାନୀୟ ଲୋକ ପ୍ରଥମେ ତାଙ୍କୁ କାମାକ୍ଷାନଗର ହସ୍ପିଟାଲ ଭର୍ତି କରିଥିଲେ. ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା. କିନ୍ତୁ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ଭଦ୍ରକ ମେଡିକାଲରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଥିଲା. ଏହା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ଏକ ନମ୍ବର ୱାର୍ଡ ଭଣ୍ଡାରିପଦୀ ଗ୍ରାମର ଜୟନ୍ତ ପ୍ରଧାନଙ୍କ ପରିବାରର କରୁଣ କାହାଣୀ. ଏବେ ଦୀର୍ଘ ଦିନ ଧରି କଟକ ବଡ଼ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଆସିଛନ୍ତି ଜୟନ୍ତ. ବର୍ତମାନ ତାଙ୍କର ଚିକିତ୍ସା ପାଇଁ ସରକାରୀ କାର୍ଡର ସମସ୍ତ ରାଶି ସରିଯାଇଛି କିନ୍ତୁ ଆହୁରି ଅସ୍ତ୍ରପ୍ରଚାର କରାଗଲେ ଯାଇ ଜୟନ୍ତ ସୁସ୍ଥ ହେବେ ବୋଲି ଡାକ୍ତର କହିଛନ୍ତି. ଏବେ ଜୟନ୍ତଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ. ଦୀର୍ଘ ଦିନ ମେଡିକାଲରେ ଥିବାବେଳେ ବନ୍ଧୁବାନ୍ଧବ ସମସ୍ତଙ୍କ ପାଖରୁ ପରିବାର ଲୋକେ ଧାର କରଜ କରି ଚିକିତ୍ସା ଯୋଗାଇ ଥିଲେ.ଏବେ ଜୟନ୍ତଙ୍କ ପରିବାର ନିକଟରେ କିଛି ଆଉ ଆର୍ଥିକ ସମ୍ବଳ ନାହିଁ. ଯଦି କେହି ସଦ୍-ହୃଦୟ ବ୍ୟକ୍ତି କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ଜୟନ୍ତ ପ୍ରଧାନ ଏବଂ ତାଙ୍କ ପରିବାରକୁ ସାହାଯ୍ୟ ସହଯୋଗ ଯୋଗାଇବା ପାଇଁ ଚାହୁଁଛନ୍ତି ଦୟାକରି ତାଙ୍କ ଧାମନଗର ଏଣେ ସି ଅନ୍ତର୍ଗତ ଭଣ୍ଡାରି ପଦୀ ଗ୍ରାମର ଘରକୁ ଯାଇ ସିଧାସଳଖ କଥା ହୋଇ ସହାୟତା ଯୋଗାଇ ପାରିବେ.