ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ପରାମର୍ଶ ଶିବିର: ହୋଟେଲ ପରିଚାଳନା ପାଠ୍ୟକ୍ରମ ପାଇଁ ୧୧ ଜଣ ଛାତ୍ରଛାତ୍ରୀଙ୍କ ଆବେଦନ
ସୁବର୍ଣ୍ଣପୁର, ୦୨/୦୬ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ବନପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଏକ ଦକ୍ଷତା ବିକାଶ/ଉଚ୍ଚ ଶିକ୍ଷା ପରାମର୍ଶ ଶିବିର ଓ ତତ୍କ୍ଷଣାତ୍ ଭର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୧୧ ଜଣ +୨ ଓ +୩ ଛାତ୍ରଛାତ୍ରୀ ହୋଟେଲ ପରିଚାଳନାର ବିଭିନ୍ନ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଫର୍ମ ପୂରଣ କରିଥିଲେ। ଏହି ଛାତ୍ରଛାତ୍ରୀମାନେ ଜିଲ୍ଲା ପ୍ରଶାସନର ଆର୍ଥିକ ସହଯୋଗ ବା ସ୍ପନସରସିପ୍ରେ ବଲାଙ୍ଗୀରସ୍ଥିତ ରାଜ୍ୟ ହୋଟେଲ ପରିଚାଳନା ସଂସ୍ଥାରେ ଭର୍ତ୍ତି ହେବେ। ଏହି କାର୍ଯକ୍ରମ ରେ ମୋଟ ୧୫୬ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଭାଗ ନେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ରାଜ୍ୟ ହୋଟେଲ ପରିଚାଳନା ସଂସ୍ଥା ବଲାଙ୍ଗୀରର ପ୍ରଶିକ୍ଷକ ଯୁଧିଷ୍ଠିର ପ୍ରଧାନ, ସହାୟକ ବନ ସଂରକ୍ଷକ ଗିରିଧାରୀ ନାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। କାର୍ଯକ୍ରମରେ ଓଡ଼ିଶା ପ୍ରଶାସନିକ ସେବା-୨୦୨୪ରେ ଅଷ୍ଟମ ରେଙ୍କ ହାସଲ କରିଥିବା ନୀତେଶ କୁମାର ବାରିକ ପ୍ରଶାସନିକ ସେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି କରି କହିଥିଲେ ଯେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଏବଂ ଜଣେ ଚାହିଁଲେ ନିଶ୍ଚିତ ଭାବରେ ନିଜ ଲକ୍ଷ୍ୟ ହାସଲ କରିପାରିବ। ନୀତେଶ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେବା ସହିତ ପାଠପଢ଼ାକୁ ରୁଚିର ସହ ଗ୍ରହଣ କରିବା ଓ ତାହାର ଆନନ୍ଦ ନେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ ପରିଚାଳନା କରିଥିବା ବେଳେ ଶିଶୁ ସୁରକ୍ଷା ବିଭାଗର ପ୍ରଶାନ୍ତ ମହାକୁଡ଼, ଥବିର କଳ୍ସା, ମୃତ୍ୟୁଞ୍ଜୟ ସାହୁ, ଅନିଲ ମହଲା, ସରିତା ସୁନା, ଜିତେନ୍ଦ୍ରିୟ ମଣ୍ଡଳ, ଗୌତମ ମହାପାତ୍ର, ରୁଦ୍ରପ୍ରସନ ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ।