ଦେଶସେବାରୁ ନିବୃତ୍ତ ହୋଇ ଫେରିଲେ ବୀର ପୁତ୍ର: କେସିଙ୍ଗାରେ ସିଆରପିଏଫ୍ ଇନ୍ସପେକ୍ଟର ସଞ୍ଜିବ ଭୋଇଙ୍କୁ ଭବ୍ୟ ସ୍ୱାଗତ
କେସିଙ୍ଗା, ୦୨/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୀର୍ଘ ୨୬ ବର୍ଷ ଧରି ଭାରତୀୟ ସେନାରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିବା ପରେ ଗତକାଲି ନିଜ ଜନ୍ମମାଟିକୁ ଫେରିଛନ୍ତି କେସିଙ୍ଗା ବ୍ଲକ ଖାସବାହାଲ ଗ୍ରାମର କୁଳପୁତ୍ର, ସିଆରପିଏଫ୍ ଇନ୍ସପେକ୍ଟର ସଞ୍ଜିବ କୁମାର ଭୋଇ। ଦେଶମାତୃକାର ସେବା ଶେଷ କରି ସେ ଅବସର ଗ୍ରହଣ କରିବା ପରେ ଗ୍ରାମକୁ ଫେରିବା ସମୟରେ ତାଙ୍କୁ ମିଳିଛି ଏକ ଭାବବିହ୍ଵଳ ଓ ଭବ୍ୟ ସମ୍ବର୍ଦ୍ଧନା। ସୂଚନାଯୋଗ୍ୟ ଯେ, ସଞ୍ଜିବ କୁମାର ଭୋଇ ଟୁଣ୍ଡଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟ ଚନ୍ଦ୍ର ଭୋଇଙ୍କ ସୁପୁତ୍ର। ସେ ୨୦୦୦ ମସିହାରେ ସିଆରପିଏଫ୍ରେ ଯୋଗ ଦେଇଥିଲେ। ଦୀର୍ଘ ୨୬ ବର୍ଷର ନିଷ୍ଠାପର କାର୍ଯ୍ୟକାଳ ପରେ ସେ ଇନ୍ସପେକ୍ଟର ପଦବୀରୁ ଅବସର ନେଇଛନ୍ତି। ସଞ୍ଜିବ ଅବସର ନେଇ ନିଜ ଗ୍ରାମ ଖାସବାହାଲରେ ପହଞ୍ଚିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ଗ୍ରାମବାସୀ ଏବଂ ପରିବାରବର୍ଗ ବାଦ୍ୟଯନ୍ତ୍ରର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ଉତ୍ସବର ମାହୋଲ ସୃଷ୍ଟି କରିଥିଲେ। ଦେଶସେବାରୁ ଫେରିଥିବା ଜଣେ ସାହସୀ ସନ୍ତାନଙ୍କୁ ନିଜ ଗ୍ରାମରେ ଏପରି ସ୍ୱାଗତ କରି ଖାସବାହାଲ ଗ୍ରାମବାସୀ ଗର୍ବିତ ହୋଇଛନ୍ତି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ