ସୁବିଧାରୁ ବଞ୍ଚିତ ନିଲାବତୀ କଷ୍ଟରେ କାଟୁଛି ଜୀବନ
ଝରିଗାଁ, ୦୫/୦୬ ( ନକୁଳ ଭତ୍ରା ) : ସରକାର ଗରିବ, ଭୂମିହୀନ ଓ ଅସହାୟ ପରିବାରଙ୍କ ପାଇଁ ବଡ଼ ବଡ଼ ଯୋଜନା କରୁଥିବା କଥା କହୁଛନ୍ତି। କିନ୍ତୁ ଆଜିବି ଅନେକ ପ୍ରକୃତ ଗରିବ ଲୋକ ସେହି ସୁବିଧାରୁ ବଞ୍ଚିତ ରହିଛନ୍ତି। କାଗଜ କଲମରେ ଯୋଜନା ସୀମିତ ରହିଯାଇଥିବା ବେଳେ ଗରିବ ଲୋକଙ୍କ ଜୀବନ ଆଜିବି ଦୁଃଖ ଓ କଷ୍ଟରେ କଟୁଛି। ଏହିପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଝରିଗାଁ ଗ୍ରାମ ପଞ୍ଚାୟତର ଖାଇରେପେଟ ଗ୍ରାମରେ। ଏଠାରେ ୬୯ ବର୍ଷୀୟା ନୀଳାବତୀ ମାଝୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ପେଟ ପୋଷିବା ପାଇଁ ସେ ଜଙ୍ଗଲରୁ କାଠ ଆଣି ଚୁଲିରେ ରାନ୍ଧୁଛନ୍ତି। ରହିବା ପାଇଁ ଭଲ ଘର ନଥିବାରୁ ଭଙ୍ଗା ଦଦରା ଘରେ ଭୟ ଓ ଅସୁରକ୍ଷା ମଧ୍ୟରେ ଜୀବନ ବିତାଉଛନ୍ତି। ତାଙ୍କ ୩୫ ବର୍ଷୀୟ ପୁଅ ଧନସିଂ ମାଝୀଙ୍କ ପାଖରେ ନିଜସ୍ୱ ଜମି ନଥିବା ସହ ଗାଁରେ ନିୟମିତ କାମ ମିଳୁନଥିବାରୁ ପରିବାର ଚଳାଇବା ପାଇଁ ସେ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ଘରେ ବୃଦ୍ଧା ମା ଏକାକୀ ରହୁଥିବା ବେଳେ ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ଗ୍ରାମବାସୀ ଜଗବନ୍ଧୁ ମାଝୀ, ଅଭିରାମ ମାଝୀ, ମହେନ୍ଦ୍ର ମାଝୀ, ପ୍ରେମାସିଂ ମାଝୀ, ମଧୁ ପଟା, ବାସନ୍ତୀ ମାଝୀ, ହୀରାମଣି ମାଝୀ, ରବି ମାଝୀ, ନନ୍ଧ ଗୌଡ, ଚୈତି ମାଝୀ, ସୁନଦେଇ ମାଝୀ, ଜୟରାମ କମାର, ତିଆରି କୁମାର ଓ ଗଜେନ୍ଦ୍ର ଗୌଡ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ, ନୀଳାବତୀ ମାଝୀଙ୍କୁ ଶୀଘ୍ର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉ। ଏବେ ଦେଖିବାକୁ ବାକି ରହିଲା, ଏହି ଖବର ପରେ ପ୍ରଶାସନର ନିଦ ଭାଙ୍ଗୁଛି କି ନାହିଁ। ପ୍ରକୃତ ଗରିବ ନୀଳାବତୀ ମାଝୀ କେବେ ସରକାରୀ ସହାୟତା ପାଇବେ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।