ସିଜିମାଳି ସଂଗ୍ରାମର ବଡ଼ ସଫଳତା: ଜେଲ୍ରୁ ମୁକୁଳିଲେ ଆଉ ୧୧ ଜଣ ଆଦିବାସୀ ସଂଗ୍ରାମୀ
କଳାହାଣ୍ଡି, ୧୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ସିଜିମାଳି ଖଣି ଖନନ ବିରୋଧରେ ଏବଂ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଚାଲିଥିବା ଜନ ଆନ୍ଦୋଳନରେ ଜେଲ୍ ଯାଇଥିବା ଆଦିବାସୀ ସଂଗ୍ରାମୀ ମାନଙ୍କ ପାଇଁ ଆଜି ଏକ ବଡ଼ ଆଶ୍ବସ୍ତିର ଖବର ଆସିଛି । ପୂର୍ବରୁ ୧୦ ମହିଳାଙ୍କୁ ଜାମିନ୍ ମିଳିଥିବା ବେଳେ, ଆଜି ସକାଳେ ପୁନର୍ବାର ୧୧ ଜଣ ସଂଗ୍ରାମୀ ସାଥୀ ଜାମିନ୍ରେ ମୁକୁଳିଛନ୍ତି । ଜାମିନ୍ ପାଇଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ପ୍ରବିନା ମାଝୀ, ଦିଲ୍ଲୀପ ମାଝୀ, ପୁଲସିଂହ ମାଝୀ, ସତ୍ୟରାମ ମାଝୀ, ରାଜିବ ମାଝୀ, ମୁକୁନ୍ଦ ମାଝୀ, ପଙ୍ଗୁରା (ବନାଙ୍ଗା) ମାଝୀ, କାର୍ଷିକ ମାଝୀ, ଧନିଙ୍ଘ ମାଝୀ, ବିନେସିଂହ ମାଝୀ ଓ ଦିନେଶ ମାଝୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଥାନା ଅନ୍ତର୍ଗତ ତଳଆମପଦର ଗ୍ରାମର ବାସିନ୍ଦା । ଏହି ଜାମିନ୍ ପ୍ରକ୍ରିୟା ସଫଳ କରିବାରେ *ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ (ସୋମ)ର ସଭାପତି ଶ୍ରୀ ଗଙ୍ଗାଧର ମାଝୀ ଙ୍କ* ନେତୃତ୍ୱରେ କୋଷାଧ୍ୟକ୍ଷ ଶ୍ରୀ ମହେଶ୍ବର ମାଝୀ, କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଂଘର ସଭାପତି ଶ୍ରୀ ପ୍ରକାଶ ମାଝୀ, ଆଦିବାସୀ ଉପଦେଷ୍ଟା ଶ୍ରୀ ମନପତି ଜାନି, ଯୁବ ସଂଗଠକ ଶ୍ରୀ ଦିନେଶ କୁମାର ମାଝୀ, ଶ୍ରୀ ସୁଶାନୁ ମାଝୀ ଓ ଶ୍ରୀ ରୁକୁନ ମାଝୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିରନ୍ଧର ପ୍ରୟାସ ଉଲ୍ଲେଖନୀୟ ରହିଛି । ଆଦିବାସୀ ମହାସଂଘ ଓଡ଼ିଶା (AMO)ର ସଭାପତି ଶ୍ରୀ କର୍ମା ଲାକ୍ରା ଓ ସାଧାରଣ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକ ପୂର୍ବରୁ ସିଜିମାଳି, ତଳଆମପଦର ଓ କଣ୍ଟାମାଳ ଅଞ୍ଚଳକୁ ଗସ୍ତ କରି ପୀଡ଼ିତ ଲୋକଙ୍କ ସହ ସାକ୍ଷାତ କରିଥିଲେ ଏବଂ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଥିଲେ ।ଆଇନଗତ ଲଢ଼େଇରେ ଆଦିବାସୀ ସମାଜର ଦୁଇ ଭାଇ-ଭଉଣୀ ଆଇନଜୀବୀଙ୍କ ସହଯୋଗ ସହିତ ଆଇନଜୀବୀ ଶ୍ରୀ ତୁଳସୀରାମ ଓ ଡେଭିଡ ଙ୍କ ତତ୍ତ୍ବାବଧାନରେ ଏହି ଜାମିନ୍ ପ୍ରକ୍ରିୟା ସଫଳ ହୋଇଥିବା ଜଣାପଡ଼ିଛି । ସିଜିମାଳି ଅଞ୍ଚଳରେ ଖଣି ଖନନ ବିରୋଧୀ ଏହି ଆନ୍ଦୋଳନକୁ ଆଦିବାସୀ ସମାଜ "ଜଳ, ଜମି ଓ ଜଙ୍ଗଲର ଅଧୂକାର ପାଇଁ ଲଢ଼େଇ" ଭାବେ ଦେଖୁଥିବା ବେଳେ, ସଂଗଠନ ପକ୍ଷରୁ ଏହି ସଂଗ୍ରାମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୃଷ୍ଟ କରାଯାଇଛି । “ଜଳ, ଜମି ଓ ଜଙ୍ଗଲ ଆମର ଅଧୂକାର- ସିଜିମାଲି ସଂଗ୍ରାମ ଜାରି ରହିବ” ବୋଲି ପ୍ରତିକ୍ରିୟା ଦେଇଛନ୍ତି ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ଶ୍ରୀ ଗଙ୍ଗାଧର ମାଝୀ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ