Hot Posts

6/recent/ticker-posts

କଳାହାଣ୍ଡିରୁ ଯାଉନି ଦାଦନ ଦୁଃଖ

କଳାହାଣ୍ଡି, ୦୨/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଏମିତି ଏକ ମାଟି,ଯେଉଁଠି ସବୁଜିମା ଭିତରେ ବି ଲୁଚି ରହିଥାଏ ଦାଦନର ଲୁହ। ପେଟ ପାଟଣା ପାଇଁ ନିଜ ଭିଟାମାଟି ଛାଡ଼ି ପର ରାଇଜକୁ ଯାଇଥିବା ଗୋଟିଏ ଗରିବ ପରିବାର ଆଜି ନ୍ୟାୟ ପାଇଁ ଚିତ୍କାର କରୁଛି। ହେଲେ ସେ ଚିତ୍କାର ଶୁଣିବାକୁ କେହି ନାହାନ୍ତି । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରିଆଗାଁର। ଗାଁର ତାରିଣୀ ମାଝୀ। ଗତ ୨୦୨୫ ଫେବୃଆରୀ ମାସରେ ମାତ୍ର ୬୦ ହଜାର ଟଙ୍କାର ଅଗ୍ରିମ ନେଇ ନିଜ ପରିବାରର ୫ ଜଣ ସଦସ୍ୟଙ୍କୁ ଧରି ସେ ଯାଇଥିଲେ ତେଲେଙ୍ଗାନା। ଭାବିଥିଲେ ଇଟା ଗଢ଼ି ଦୁଇ ପଇସା ରୋଜଗାର କରିବେ, ପରିବାର ପ୍ରତିପୋଷଣ କରିବେ। ହେଲେ ସେ ଜାଣି ନଥିଲେ ଯେ ସେହି ୬୦ ହଜାର ଟଙ୍କା ତାଙ୍କ ପାଇଁ ଜୀବନ୍ତ କାଳକୋଠରୀ ସାଜିବ। ବିଗତ ୧୬ ମାସ ହେଲା ତାରିଣୀ ଓ ତାଙ୍କ ପରିବାର ସେଠାରେ ବନ୍ଧା ପଡ଼ିଛନ୍ତି। ନା ମିଳୁଛି ମଜୁରୀ, ନା ମିଳୁଛି ପେଟପୂରା ଦାନା। କେବଳ ସାମାନ୍ୟ ରାସନ ସାମଗ୍ରୀ ଦେଇ ଦିନରାତି ପଶୁ ଭଳି ଖଟାଉଛି ନିଷ୍ଠୁର ଠିକାଦାର। ଆଉ ଯଦି କେହି କାମ କରିବାକୁ ମନା କଲା କିମ୍ବା କ୍ଲାନ୍ତ ହୋଇ ପଡ଼ିଗଲା...ତେବେ ମିଳୁଛି ନିର୍ଦ୍ଦୟ ମାଡ଼। ବାନ୍ଧି କରି ପିଟୁଛି ସେହି ଅମାନୁଷିକ ଠିକାଦାର। ଆଜି ଲୁହଭରା ଆଖିରେ ଏକ ଭିଡିଓ ଜାରି କରିଛନ୍ତି ତାରିଣୀ ମାଝୀ। ଓଡ଼ିଶା ସରକାର, କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଦୁଇ ହାତ ଯୋଡ଼ି ବିକଳ ହୋଇ ଗୁହାରି କରୁଛନ୍ତି - 'ଆମକୁ ଏଠାରୁ ଉଦ୍ଧାର କରନ୍ତୁ, ଆମେ ନହେଲେ ସେମାନଙ୍କ ମାଡ଼ରେ ମରିଯିବୁ'। ଆଉ କେତେଦିନ ଏମିତି ବନ୍ଧା ପଡ଼ିବେ ଆମ ମାଟିର ମଣିଷ? ପ୍ରଶାସନ ଚେତିବ କେବେ? ତାରିଣୀଙ୍କ ପରିବାର ନିଜ ଭିଟାମାଟିକୁ ଫେରିବେ କେବେ? ଭିଡିଓଟିକୁ ଏତେ ଶେୟାର କରନ୍ତୁ ଯେମିତି ଏହା ସରକାରଙ୍କ କାନ ପର୍ଯ୍ୟନ୍ତ ପହଞ୍ଚିପାରିବ। 



କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍