Hot Posts

6/recent/ticker-posts

ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି, ୦୮/୦୬ ( ରିତେଶ କୁମାର ମୁଣ୍ଡ ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ଜନସମ୍ପର୍କ କାର୍ଯ୍ୟକ୍ରମକୁ ସଫଳ ଓ ଗରିମାମୟ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ‘ବିକାଶର ଧାରା, ଓଡ଼ିଶା ସାରା’ ଶୀର୍ଷକ କାର୍ଯ୍ୟକ୍ରମ ଜିଲାରେ ୧୨ ତାରିଖରୁ ଆରମ୍ଭ ହେବ । ଜିଲାସ୍ତରରେ ୩ ଦିନିଆ ପ୍ରଦର୍ଶନୀ, ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ ଉପରେ ଆଲୋଚନା ଚକ୍ର, ପ୍ରକଳ୍ପ ପରିଦର୍ଶନ, ଆକାଂକ୍ଷୀ ଜିଲା ଏବଂ ବ୍ଲକ ସଫଳତା, ଜୈବିକ କୃଷି ଉପରେ କର୍ମଶାଳା, ବ୍ଲକ୍‌ସ୍ତରରେ ୭ ଦିନିଆ ପ୍ରଦର୍ଶନୀ ଏବଂ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ବିକାଶ ଓ ଭିତ୍ତିଭୂମିର ପ୍ରଦର୍ଶନୀ, ଜନଜାତି ସମ୍ବାଦ, ପ୍ରାକୃତିକ କୃଷି ସମ୍ବନ୍ଧୀୟ କୃଷକ କର୍ମଶାଳା, ଖେତ ବଚାଓ ଅଭିଯାନ, ସ୍ୱାବଲମ୍ବୀ ଯୁବା, ଆୟୁଷ୍ମାନ ବାୟୋ ବନ୍ଦନା ଆଦି କାର୍ଯ୍ୟକ୍ରମ କରାଯିବ । ବିଭିନ୍ନ ଯୋଜନାର ହିତାଧିକାରୀମାନକୁ ସହାୟତା, ପଞ୍ଚାୟତସ୍ତରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଏବଂ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । ସରକାରୀ ଯୋଜନାର ଲାଭ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତିକା ଏବଂ ସୂଚନା ସାମଗ୍ରୀ ବଣ୍ଟନ କରାଯିବ । ଜିଲ୍ଲା, ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜିତ ହେବାକୁ ଥିବା ଉତ୍ସବ ଓ ଜନସମ୍ପର୍କ କାର୍ଯ୍ୟକ୍ରମର ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଜନମୁଖୀ, ଅନ୍ତର୍ଭୁକ୍ତିକରଣମୂଳକ ଓ ପ୍ରଭାବଶାଳୀ କରିବା ପାଇଁ ସୁପରିକଳ୍ପିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମ୍ଭାବ୍ୟ ସ୍ଥାନ ଚୟନ, ପରିଚାଳନା ବ୍ୟବସ୍ଥା ଓ ବିଭିନ୍ନ ବିଭାଗର ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ରାଜ୍ୟବ୍ୟାପୀ ଏହି ଜନସମ୍ପର୍କ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା । ସେହିପରି ସରକାରୀ ସେବା ଓ ଯୋଜନା ସମ୍ପର୍କିତ ସଚେତନତା ବୃଦ୍ଧି ସହିତ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାପାଳ କହିଥିଲେ ଯେ, କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ଓ ସହଯୋଗ ଅତ୍ୟନ୍ତ ଜରୂରୀ । ପ୍ରତ୍ୟେକ ବିଭାଗ ଆଗୁଆ ଆବଶ୍ୟକ ପ୍ରସ୍ତୁତି ସମ୍ପନ୍ନ କରିବା ସହ ନିଜ ନିଜ ଦାୟିତ୍ଵ ସୁଚାରୁ ଭାବେ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଉତ୍ସବ କେବଳ ସରକାରଙ୍କ ସଫଳତାର ପ୍ରଦର୍ଶନ ନୁହେଁ, ବରଂ ସାଧାରଣ ଜନତାଙ୍କ ସହ ସରକାରଙ୍କ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଏକ ସୁଯୋଗ ବୋଲି ସେ ମତପ୍ରକାଶ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।