ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଦୁର୍ଘଟଣାଜନିତ ମୃତ୍ୟୁର ହେବ ଅଡିଟ୍ - ଜିଲ୍ଲାପାଳ
ନୂଆପଡା, ୨୦/୦୫ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ପରିବହନ ଅଧିକାରୀ ଶର୍ମିଳା ମହାରଣା ସମସ୍ତଙ୍କୁ ସ୍ୱାଗତ କରି ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ କ୍ରମେ ସଡ଼କ ଦୁର୍ଘଟଣାଜନିତ ସମସ୍ତ ମୃତ୍ୟୁର ଅଡିଟ୍ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଆର୍ ଆଣ୍ଡ ବି ବିଭାଗ ଓ ଜାତୀୟ ରାଜପଥ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ଡିଏସ୍ପି, ଉପଜିଲ୍ଲାପାଳ ପ୍ରମୁଖ ସଦସ୍ୟ ରହିବେ। ଅଡିଟ୍ ରିପୋର୍ଟ ଆଧାରରେ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ। ଜିଲ୍ଲାର ୧୦ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପିତ ‘ହେଲମେଟ୍ ହବ୍’ର କାର୍ଯ୍ୟକଳାପ ମଧ୍ୟ ସମୀକ୍ଷା କରାଯାଇଥିଲା। ହେଲମେଟ୍ ହବ୍ ପ୍ରତି ସାଧାରଣ ଲୋକଙ୍କ ସକାରାତ୍ମକ ପ୍ରତିକ୍ରିୟା ଓ ଉତ୍ସାହଜନକ ସହଯୋଗ ମିଳୁଥିବା ଜଣାପଡ଼ିଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ଏହି ହବ୍ଗୁଡ଼ିକରୁ ଏପର୍ଯ୍ୟନ୍ତ ୫୭୦୦ ଟଙ୍କା ଜରିମାନା ସଂଗ୍ରହ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିୟମିତ ଭାବେ ହେଲମେଟ୍ ହବ୍ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆର୍ ଆଣ୍ଡ ବି ବିଭାଗକୁ ହବ୍ ଗୁଡ଼ିକ ଉପରେ ଛାଉଣୀ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାରେ କେତେ ଦୁଇଚକିଆ ଯାନ ରହିଛି ଏବଂ କେତେ ଲୋକ ହେଲମେଟ୍ ପିନ୍ଧୁଛନ୍ତି, ସେନେଇ ଏକ ସର୍ଭେ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଆସନ୍ତା ଜୁଲାଇ ଶେଷ ସୁଦ୍ଧା ସମସ୍ତ ଦୁଇଚକିଆ ଚାଳକଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ସଚେତନ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ବୈଠକରେ ସଡ଼କ ଦୁର୍ଘଟଣାରେ ଆହତ ଦୁଇଜଣଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଗୁଡ୍ ସମାରିଟନ୍ ହେମନ୍ତ କାନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ବିଜୁ ଏକ୍ସପ୍ରେସୱେର ଟାଙ୍ଗିରିପଡା ନିକଟରେ ଘଟିଥିବା ଦୁର୍ଘଟଣାରେ ସେ ଆହତ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଆଲୋଚନା ଅନୁସାରେ ଜେଲ୍ ରୋଡ୍ ନିକଟରେ ଏକ ନୂତନ ପାର୍କିଂ ସ୍ଥାନ ଉପଲବ୍ଧ ହୋଇଥିବା ସୂଚନା ଦିଆଯାଇଥିଲା। ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦିଗରେ ଚଳିତ ମାସର ୧୮ ତାରିଖ ସୁଦ୍ଧା ମଦ୍ୟପାନ କରି ଗାଡ଼ି ଚାଳନା ଅଭିଯୋଗରେ ୭୧ଟି ଚାଲାଣ ଏବଂ ହେଲମେଟ୍ ବିନା ଗାଡ଼ି ଚାଳନା ପାଇଁ ୪ଟି ଚାଲାଣ କାଟାଯାଇଛି। ଗତ ଏପ୍ରିଲ ମାସରେ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୯୩ଟି ଚାଲାଣ କାଟାଯାଇ ୧୭ ଲକ୍ଷ ୨୫ ହଜାର ୨୦୧ ଟଙ୍କା ଜରିମାନା ଆଦାୟ କରାଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼. ସୁଖେନ୍ଦୁ ରାୟ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ନୂଆପଡା, ଖଡିଆଳ ଓ ଖରିଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।