ନୂଆପଡାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ: ୭୦ ବର୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ସର୍ଭେ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ନୂଆପଡ଼ା, ୨୬/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ସହ ଅନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକର ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର ବେକାର ଯୁବକଯୁବତୀମାନଙ୍କୁ କେବଳ ଚାକିରି ପଛରେ ନ ଦୌଡ଼ି ଉଦ୍ୟୋଗୀ ଭାବେ ଗଢ଼ି ଉଠିବାକୁ ଆହ୍ୱାନ ଦେଇଥିଲେ। ଉପ ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ବିଗତ ମାସର ଉନ୍ନୟନମୂଳକ କାର୍ଯ୍ୟରେ ଥିବା ବାଧା, ବିସଙ୍ଗତି ଓ ସେଗୁଡ଼ିକର ସମାଧାନ ସହ ପ୍ରତ୍ୟେକ ବିଭାଗର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପେନସନ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଅନିୟମିତତା ରୋକିବା ଉଦ୍ଦେଶ୍ୟରେ ୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ପେନସନଭୋଗୀଙ୍କ ଉପରେ ସର୍ଭେ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସର୍ଭେ କାର୍ଯ୍ୟକୁ ୧୫ ଦିନ ମଧ୍ୟରେ ସମାପ୍ତ କରିବା କୁ ନିର୍ଦ୍ଧେଶ।