ଦୃଷ୍ଟିହୀନା ଦୂତିକା ହେଲେ ବିଦ୍ୟାଳୟ ଟପ୍ପର
ଝରିଗାଁ, ୦୩/୦୫ ( ନକୁଳ ଭତ୍ରା ) : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥିରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଜଣେ ଜନ୍ମରୁ ଦୃଷ୍ଟିହୀନା ଛାତ୍ରୀ ଦୁତିକା ଧରୁଆ। ସମସ୍ତ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବିଦ୍ୟାଳୟ ଟପ୍ପର ହୋଇଛନ୍ତି ଦୂତିକା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଚଚରାପଡା ଗ୍ରାମର ଦୁତିକା ଧରୁଆ ହେଉଛନ୍ତି ଜନ୍ମରୁ ଦୃଷ୍ଟିହୀନା। ମା ମଙ୍ଗଳଦେଇ ଧରୁଆ ଏବେ ଆରପାରିରେ। ପିତା ସୁନ୍ଦର ସିଂ ଧରୁଆ ଏବଂ ୨ ଭାଇ ଓ ୨ ଭଉଣୀଙ୍କୁ ନେଇ ଦୁତିକାଙ୍କ ପରିବାର। ଜନ୍ମରୁ ଦୃଷ୍ଟିହୀନ ହେଲେ ମଧ୍ଯ ପଢିବାକୁ ବହୁତ ଭଲ ପାଆନ୍ତି ଦୁତିକା। ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ ସରକାରଙ୍କ ପକ୍ଷରୁ ଦୁତିକାଙ୍କୁ ମିଳୁଛି ୩୫୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା। ନିକଟସ୍ଥ ଚଚ୍ଚା ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଦୁତିକା ନିଜ ଭଉଣୀ ପ୍ରମିଳା ଧରୁଆ ପଢୁଥିବା ସମୟରେ ଶୁଣି ଶୁଣି ସବୁ କିଛି ମନେ ରଖୁଥିଲେ। ପରୀକ୍ଷାରେ ଲେଖିବାରେ ସାହାଯ୍ୟ କରିଥିଲେ ନବମ ଶ୍ରେଣୀ ଛାତ୍ରୀ ହାରାବତୀ ସାନ୍ତା। ଆଉ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ୬୦୦ ରୁ ୪୨୭ ନମ୍ବର ରଖି ୯୬ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଏଥି ସହିତ ଦୁତିକା ପ୍ରମାଣ କରିଦେଇଛନ୍ତି ଯେ, ପ୍ରତିକୂଳ ପରିସ୍ଥିତି ଏବଂ ଦିବ୍ୟାଙ୍ଗତା କିଭଳି କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ଫିକା ପଡିଯାଏ। ଦୁତିକାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିପ୍ଳବେନୀ ମଲ୍ଲିକ ଏବଂ ଏ ଖବର ଶୁଣି ଝରିଗାଁ ବିଧାୟକ ନରସିଂହ ଭତ୍ରା ତାଙ୍କର ଘରେ ପହଂଚି କୁସି ହୋଇ ମିଠା ଖୁଆଇ ଥିଲେ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି l ତାଙ୍କର ସହିତ mp ପ୍ରତିନିଧି ଚନ୍ଦ୍ର ବାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ, ସମାଜ ସେବି ପ୍ରପୁଲ ପ୍ରଧାନୀ ଓ ଅନ୍ୟlନୀୟ କର୍ମୀ ପହଂଚି ଥିଲେ l