ଅସହ୍ୟ ଗୁଳୁଗୁଳି ବେଳେ ଅଘୋଷିତ ବିଦ୍ୟୁତ କାଟ।
ବୋଲଗଡ଼, ୨୦/୦୫ (ସୁଶାନ୍ତ କୁମାର ପ୍ରଧାନ) : ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗତ ତିନି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀରୁ କମୁନଥିବାରୁ ବୋଲଗଡ଼ ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟାରୁ ଗରମ ଅନୁଭବର ଆରମ୍ଭ ହୋଇ ମଧ୍ଯାହ୍ନ ଓ ଅପରାହ୍ନ ବେଳକୁ ଅସହ୍ୟ ହୋଇପଡୁଛି । ପ୍ରବଳ ତାତି ଯୋଗୁଁ ଅଂଶୁଘାତର ଭୟ ଘାରୁଛି । ରାସ୍ତାଘାଟ ଶୂନଶାନ ହୋଇପଡୁଛି । କୌଣସି ଜରୁରୀ କାମରେ ଯେ କେହି ଘରୁ ବାହାରିଲେ ବାଧ୍ୟ ହୋଇ ପାଣି ବୋତଲ ସହ ମୁଣ୍ଡରେ ଗାମୁଛା ବାନ୍ଧି କିମ୍ବା ଛତା ଧରିବାକୁ ପଡୁଛି । ଗରମରୁ ତ୍ରାହି ପାଇବା ପାଇଁ ଲୋକେ ଟିକେ ବର୍ଷାକୁ ଚାତକ ଭଳି ଚାହିଁ ବସିଥିଲେ ହେଁ ତାହାର ଦେଖା ମିଳୁନି । ବେଳେ ବେଳେ ପାଗ ମେଘୁଆ ରହିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ସାଙ୍ଗକୁ ଶରୀର ଝାଳେଇ ଯାଉଛି । ଅନ୍ୟପକ୍ଷରେ ବାହାର ଗରମରୁ ରକ୍ଷା ପାଇବା ପାଇଁ ଘରେ ରହିଲେ ମଧ୍ୟ ଘନ ଘନ ବିଦ୍ଯୁତ୍ କାଟ,ଏପରିକି ଦିନକୁ ୧୨ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ହେଉଛି। ସରକାର ଙ୍କ ନିୟମକୁ ଖାତିରି ନାହିଁ। ଯାହା ଫଳରେ କଲବଲ ହେବାକୁ ପଡୁଛି। ଏଭଳି ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନହେଲେ ଉପଭୋକ୍ତା ମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛି।