ପ୍ରତିଶ୍ରୁତି ପରେ ବି ମିଳୁନି ସୁଫଳ: ପୁଣି ଥରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ
ଯାଜପୁର, ୧୨/୦୫ (ନିରୋଜ କୁମାର ସେଠୀ ) : ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଦାବି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁଦାନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ସଂଘ ପକ୍ଷରୁ ସଦର ବିଧାୟକ ମାନସ ଦତ୍ତ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁସାରେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନ ମହା ବିଦ୍ୟାଳୟରେ ୨୦୦୮ ଜୁନ ୧ ରୁ ୨୦୧୮ ଜୁନ ୧ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଅନୁଦାନ ପରିସରଭୁକ୍ତ କରାଯାଇନାହିଁ। ଏହି ନ୍ୟାର୍ଯ୍ୟ ଦାବି ପାଇଁ ପୂର୍ବରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ଅନଶନ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା। ସଂଘର ସୂଚନା ମୁତାବକ ୧୫/୧୦/୨୦୨୫ ରେ ଉଚ୍ଚଶିକ୍ଷା ରେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ବାବୁ ସିଂ, ଆଶ୍ରିତ ପଟ୍ଟନାୟକ ଏବଂ ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ନୂଆପଡ଼ା ଉପନିର୍ବାଚନ ପରେ ନୂତନ ଅନୁଦାନ ନୀତି ପ୍ରଣୟନ ପାଇଁ ପ୍ରତିଶ୍ରୁତି ମିଳିଥିଲା। ପରେ ମୁଖ୍ୟମନ୍ତ୍ରୀ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶୋକ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। କମିଟି ସହ ଆଲୋଚନାର ୪ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସଂଘର ଜିଲ୍ଲା ସଂଯୋଜକ ତାପସ କୁମାର ପାତ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଧାୟକ ମାନସ ଦତ୍ତ ଙ୍କୁ ଭେଟିଥିଲେ। ୨୦୦୮-୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା କର୍ମୀଙ୍କ ପାଇଁ ନୂତନ ଅନୁଦାନ ନୀତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏକ ସୁପାରିଶ ପତ୍ର ପଠାଇବା ପାଇଁ ସଂଘ ବିଧାୟକ ମହୋଦୟଙ୍କୁ ଅନୁରୋଧ କରିଛି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲାର ବ୍ୟବସ୍ଥା ପ୍ରମୁଖ ପ୍ରଫୁଲ୍ଲ ପାତ୍ର, ଶୁଭସ୍ମିତା ମହାନ୍ତିଙ୍କ ସହ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।