ପୁନରୁତ୍ଥାନ ପର୍ବରେ କୋରାପୁଟ ସହର ଉତ୍ସବମୁଖର
କୋରାପୁଟ, ୦୫/୦୪ ( ସୁରେନ୍ଦ୍ର ଖୋସଲା ) : ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସ ଅବସରରେ କୋରାପୁଟ ସହରରେ ଆଜି ଭକ୍ତିମୟ ଓ ଉତ୍ସବମୟ ପରିବେଶ ଦେଖିବାକୁ ମିଳିଛି। ସାରା ବିଶ୍ୱରେ ଏହି ପବିତ୍ର ଦିନଟି ଆଦର ଓ ଶ୍ରଦ୍ଧା ସହିତ ପାଳିତ ହେଉଥିବାବେଳେ, କୋରାପୁଟରେ ମଧ୍ୟ ବିଶେଷ ଭାବେ ଏହାର ଆୟୋଜନ ହୋଇଛି। ଏହି ଦିନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ପୁନରୁତ୍ଥିତ ହୋଇଥିବାରୁ, ଏହା ମାନବଜାତି ପାଇଁ ଆଶା, ପ୍ରେମ ଓ ମୋକ୍ଷର ପ୍ରତୀକ ଭାବେ ପରିଗଣିତ। କୋରାପୁଟ J E L CHURCH ସହଯୋଗରେ ଆଜି ପ୍ରାତଃକାଳରେ କୋରାପୁଟର ବିଭିନ୍ନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଖ୍ରୀଷ୍ଟୀୟ ଯୁବମାନେ ପୁନରୁତ୍ଥାନର ସନ୍ଦେଶ ପ୍ରଚାର କରି ସହରରେ ପରିକ୍ରମା କରିଥିଲେ। ସହରର କବରସ୍ଥାନଗୁଡ଼ିକୁ କ୍ୟାଣ୍ଡେଲ ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା ଏବଂ ସେଠାରେ ମଧ୍ୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଖ୍ରୀଷ୍ଟବିଶ୍ୱାସୀ ଓ ଅନ୍ୟ ଧର୍ମ ବଲମ୍ବି ମାନେ ଯୋଗଦାନ କରିଥିଲେ। ଏହା ଫଳରେ ସମଗ୍ର କୋରାପୁଟ ସହର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।
କୋରାପୁଟରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍ ଓଡ଼ିଶା।