Hot Posts

6/recent/ticker-posts

ଖଜୁରୀପଡ଼ା ସରସ୍ୱତୀ ଶିଶୁ ମନ୍ଦିରେ ଉତ୍କଳ ଦିବସ ସହ ପ୍ରବେଶ ଉତ୍ସବ ପାଳିତ

ଖଜୁରୀପଡ଼ା, ୦୨/୦୪ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦର ଅଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବୁଧବାର ଉତ୍କଳ ଦିବସ ଓ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରବେଶ ଉତ୍ସବ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଛି। ସକାଳ ପ୍ରାୟ ୬ଟା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କ ଉପସ୍ଥିତିରେ ବିଦ୍ୟାରମ୍ଭ ଉପଲକ୍ଷେ ପୁରୋହିତଙ୍କ ଦ୍ୱାରା ହୋମଯଜ୍ଞ ଓ ପୂଜାପାଠ ଆୟୋଜିତ ହୋଇଥିଲା। ପରେ ବିଦ୍ୟାଳୟ ସଭାପତି ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ଓ କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ସାହୁ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଶିଶୁମାନଙ୍କୁ ଉତ୍କଳ ପ୍ରଦେଶ ଗଠନର ଇତିହାସ ବିଷୟରେ ଅବଗତ କରାଯାଇଥିଲା ଓ ମାତୃଭାଷା ଓଡ଼ିଆର ସୁରକ୍ଷା ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପ୍ରବେଶ ଉତ୍ସବ ଆରମ୍ଭ ହୋଇ ନୂତନ ଶିଶୁମାନଙ୍କୁ ଖଡି ଛୁଆଇ ଶିକ୍ଷାର ପ୍ରଥମ ପାଠ ଦିଆଯାଇଥିଲା। ଏହି ଉତ୍ସବରେ ୨୦ରୁ ଅଧିକ ଅଭିଭାବକ ଓ ଅଭିଭାବିକା ଯୋଗଦେଇଥିବା ବେଳେ ୫ରୁ ଅଧିକ ଶିଶୁଙ୍କ ନାମଲେଖା କରାଯାଇଥିଲା। ସମସ୍ତଙ୍କ ସମ୍ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି।ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣ ଉତ୍ସବମୁଖର ପରିବେଶରେ ମୁଗ୍ଧ ହୋଇଯାଇଥିଲା।