ରାୟଗଡ଼ ସହରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଶ୍ରୀ ରାମ ନବମୀ।
ରାୟଗଡ଼ା, ୨୭/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ସହରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଶ୍ରୀ ରାମ ନବମୀ। ସମ୍ପୂର୍ଣ୍ଣ ସହର ରାମମୟ ହୋଇଯାଇଥିବା ବେଳେ “ଜୟ ଶ୍ରୀ ରାମ, ଜୟ ଜୟ ଶ୍ରୀ ରାମ” ଧ୍ୱନୀରେ ମୁଖରିତ ହେଉଥିଲା ପରିବେଶ। ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଶ୍ରୀ କଦଣ୍ଡା ରାମ ମନ୍ଦିର ପାଖରୁ ଗୋଟିଏ ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ, କିଣିକିଣା ପାହାଡ଼ ଉପରେ ଥିବା ହନୁମାନ ମନ୍ଦିରରୁ ଶ୍ରୀ ରାମ ଯୁବ ବଜରଙ୍ଗି ସଂଘ ପକ୍ଷରୁ ବିରାଟ ପଟୁଆର ବାହାରିଥିଲା। ଡିଜେ ସଙ୍ଗୀତ, ହରିନାମ ସଙ୍କୀର୍ତ୍ତନ ଓ ଗେରୁଆ ପତାକା ସହିତ ଭକ୍ତମାନେ ଉତ୍ସାହର ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ଯୁବକ-ଯୁବତୀ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତଙ୍କ ଭକ୍ତିଭାବ ଦେଖିବାକୁ ମିଳିଥିଲା। ସହରର ମୁଖ୍ୟ ବଜାର ଓ ଓଭରବ୍ରିଜ ଦେଇ ଚାରିଟି ସଙ୍ଗଠନର ପଦଯାତ୍ରା ଗୁଡ଼ିକ ଅଗ୍ରସର ହୋଇଥିଲା। ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ରାୟଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ସଙ୍ଗଠନମାନଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ଥଣ୍ଡା ସରବତ ଓ ଦହି ପଣା ବଣ୍ଟନ କରାଯାଇଥିଲା।