ଅବୈଧ ବାଲି ପରିବହନ ଉପରେ ମିଳିତ ଚଢ଼ାଉ : ଗୋଟିଏ ହାଇୱା ସହ ତିନିଟି ଟ୍ରାକ୍ଟର ଜବତ
ନୂଆପଡ଼ା, ୧୨/୦୨ ( ସୁରେଶ ମହାନନ୍ଦ ) : ଜିଲ୍ଲାରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ଆଜି ସକାଳୁ ଖଣି ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗଙ୍କ ତହସିଲ ସ୍ତରୀୟ କମିଟି ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ଅବୈଧ ଭାବେ ବାଲି ପରିବହନ କରୁଥିବା ଗୋଟିଏ ହାଇୱା ଓ ତିନିଟି ଟ୍ରାକ୍ଟରକୁ ଜବତ କରାଯାଇଛି। ସୂଚନା ଅନୁସାରେ, ବୋଡ଼େନ ଥାନା ଅଞ୍ଚଳରୁ ବାଲି ବୋଝେଇ ଯାଉଥିବା ଓଡି–୦୮ ୱାଇ–୯୮୭୦ ନମ୍ବରର ଏକ ହାଇୱାକୁ ଅଧିକାରୀମାନେ ଜବତ କରିଥିଲେ। ସେହିପରି ସିନାପାଲି ଥାନା ଅଧୀନସ୍ଥ ଗଣ୍ଡାବାହାଲି ନିକଟରୁ ଏକ ଜନଡ଼ିଅର ଟ୍ରାକ୍ଟର ଓ ଚଳନା ନିକଟରୁ ଓଡି–୨୬–ଜି–୮୮୯୯ ନମ୍ବରର ଯାନକୁ ମଧ୍ୟ ଅଟକ ରଖାଯାଇଛି। ତଦୁପରି, ଖଡ଼ିଆଳ ଥାନା ଅଞ୍ଚଳରେ ଖଡ଼ିଆଳ ତହସିଲଦାର ଶ୍ରୀ ନରସିଂହ ଗଡ଼ବାଙ୍କ ନେତୃତ୍ୱରେ ଅନ୍ୟ ଗୋଟିଏ ମହିନ୍ଦା ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ ଖଣି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମାହାନାଙ୍କ ନିର୍ଦ୍ଦେଶରେ କନିଷ୍ଠ ଖଣି ଅଧିକାରୀ ଶ୍ରୀ ଜୟନ୍ତ ଗଡତିଆଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ ଶ୍ରୀ ସୁଶାନ୍ତ ପୁଝାରୀ, ଶ୍ରୀ ନିରଞ୍ଜନ ମହାନନ୍ଦ, ଶ୍ରୀ ଅନିଲ କୁମାର ନାୟକ ଓ ଶ୍ରୀ ଚିନ୍ମୟ ସୁପକାର ସହିତ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ସହଭାଗୀ ହୋଇଥିଲେ। ଅବୈଧ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏପରି ମିଳିତ ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।