Hot Posts

6/recent/ticker-posts

ବିଡ଼ିଓ, ଏଇ,ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଯୋଜନାରୁ ଟଙ୍କା ହରିଲୁଟ ଅଭିଯୋଗ |

ଝରିଗାଁ, ୨୭/୦୨ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଦୁର୍ନୀତି କମିବାର ନାଁ ଧରୁନି |ଦୁର୍ନୀତିର ଗ୍ରନ୍ଥାଘର କୁହାଯାଉଥିବା ଏହି ବ୍ଳକରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି |ଉକ୍ତ ଦୁର୍ନୀତି କାର୍ଯ୍ୟରେ ସ୍ଥାନୀୟ ବିଡ଼ିଓ, ଏଇ, ଜେଇ ଓ ଠିକାଦାର ସମ୍ପୃକ୍ତ ରହି ସରକାରୀ ଟଙ୍କା ସବୁ ହରିଲୁଟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି |ଅନେକ ସରକାରୀ କାର୍ଯ୍ୟରେ ସୂଚନା ଫଳକ ନକରି କାମ ସବୁ ନିମ୍ନ ମାନର କରି ଟଙ୍କା ମାରି ଖାଇଯାଉଥିବା ଅଭିଯୋଗ ହେଉଛି |ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଡ଼ଙ୍ଗରୀଗୁଡା ପଂଚାୟତ ବରାଯୋଡି ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ |ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ କେତେ ଟଙ୍କାର କାମ, କେଁଉ ବିଭାଗର କାମ କିଛି ବି ଜଣାପଡୁନି |କାର୍ଯ୍ୟ ଚାଲିଥିବା ସ୍ଥାନରେ ସୂଚନା ଫଳକ ମଧ୍ୟ ନାହିଁ |ତେଣୁ କାମ ବିଷୟରେ କିଛି ବି କଥା ଜଣାପଡୁନାହିଁ |ଅନ୍ୟପଟେ ପାଚେରୀ ନିର୍ମାଣ ହେଉଛି ସତ ହେଲେ ପାଚେରୀ ସାନବଡ଼ ହେଉଛି |କେଁଉଠି 3ଫୁଟ ଉଚ୍ଚ ତ ଆଉ କେଉଁଠି ଚାରି ଫୁଟ ଉଚ୍ଚତା ରହୁଛି |ପାଚେରୀ ଆରମ୍ଭ ହେଲା ଦିନ ଠାରୁ ପାଚେରୀରେ ଗୋଟେ ଦିନ ହେଲେ ପାଣି ସିଞ୍ଚନ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଏନେଇ ସ୍ଥାନୀୟ ବିଡ଼ିଓ ମଧୁସୂଦନ ମାଝୀ, ଯନ୍ତ୍ରୀ ବିନୀତ ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ନାୟକଙ୍କୁ ଫୋନ କଲେ ଫୋନ ମଧ୍ୟ ଉଠାଉ ନାହାନ୍ତି |ଜିଲ୍ଲା ପରିଷଦ ଙ୍କୁ ପଚାରିବାରୁ ସେ ଜିଲ୍ଲା ପରିଷଦ ଫଣ୍ଡରୁ ଚାରି ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କହିଛନ୍ତି |ରାଜନେତା ମାନେ ସୂଚନା ଫଳକ ପାଇଁ ତାଦିଗ କରୁଥିଲେ ମଧ୍ୟ ତାଙ୍କ କଥାକୁ ବେଖାତିର କରାଯାଇ ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଉଛି |ଗଣମାଧ୍ୟମ ବାରମ୍ବାର ଏ ଘଟଣା ଉପରେ ଖବର ପ୍ରସାରଣ କରୁଥିଲେ ମଧ୍ୟ କୌଣସି ଫରକ ପଡୁନାହିଁ |ଗୋଟେ ପରେ ଗୋଟେ କାମ ବିନା ସୂଚନା ଫଳକରେ ସମ୍ପୂର୍ଣ୍ଣ ହୋଇଯାଉଛି ହେଲେ ସାଧାରଣ ଜନତାଙ୍କ ପାଖରେ କାମକୁ ନେଇ କୌଣସି ସୂଚନା ରହୁନାହିଁ |ସବୁ ସୂଚନା ଯାକ ଗୁପ୍ତ ରଖାଯାଉଛି |ଏଭଳି ହେଲେ ବ୍ଳକରେ ଦୁର୍ନୀତି ଆହୁରି ଭୟଙ୍କର ହେବ, ତେଣୁ ଜିଲ୍ଲା ପ୍ରଶାସନ ଏ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି |