ଜିଲ୍ଳାପାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସିନାପାଲି, ୧୫/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଳା ସିନାପାଲି ପଂଚାୟତ ସମିତି ସଭା ଗୃହରେ ଜିଲ୍ଲାପାଲ ମଧୁସୂଦନ ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତପାଲ ସିଂ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୭୩ଗୋଟି ଆପତ୍ତି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୫୯ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୪ ଟି ସାମୁହିକ ଅଭିଯୋଗ ଶୁଣାଣି ଜିଲ୍ଲାପାଲ କରିଥିଲେ। ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୪ ଗୋଟି ସାମୁହିକ ସମସ୍ୟା ମଧ୍ୟରେ ଗଣ୍ଡାବାହାଲି ମୂଖ୍ୟ ରାସ୍ତା ଡ୍ରେନେଜ୍ ବ୍ୟବସ୍ଥା ଓ ମୂଖ୍ୟ ରାସ୍ତା ଉଭୟ ପାର୍ଶ୍ୱରେ ଜବରଦଖଲ ଜମି ଚିହ୍ନଟ, କୁସୁମଯୋର୍ ଗ୍ରାମ ପଂଚାୟତ କୁ ବିଭକ୍ତ କରି ଏକ ନୂତନ ଗ୍ରାମପଞ୍ଚାୟତ ଗଠନ, ଝାରବନ୍ଧ ଗ୍ରାମ ପଂଚାୟତ କୁ ବିଭକ୍ତ କରି ମାଳପଡା ଠାରେ ନୂତନ ଗ୍ରାମପଞ୍ଚାୟତ ପୁନଃଗଠନ ଏବଂ ଅନ୍ୟ ଏକ ଆପତ୍ତି ସିନାପାଲି କଲେଜ ଠାରୁ ଯିବା ଆସିବା କରୁଥିବା ଲକ୍ଷ୍ମୀ ବସର ସମୟ ପରିବର୍ତ୍ତନ ଶିବିରରେ ଗୁରୁତ୍ଵ ରହିଥିଲା। ଶିବିରରେ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼. ଧନେଶ୍ଵର ସେଠୀ, ଡିଏଲସି ରବୀନ୍ଦ୍ର ବାର୍ଲା, ଡିଏସଡବ୍ଲୁ ସଙ୍ଗୀତା ପାତ୍ର, ଏସିଏସଓ ତ୍ରିନାଥ ଭୋଇ, ଡିଡବ୍ଲୁଇଓ ଦୀପ୍ତି ମନ୍ତ ଭୋଇ, ଡିପିଶି ସୁନିଲ କୁମାର ମଲ୍ଲିକ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରହଲ୍ଲାଦ ସାହୁ, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ, ଏଏଓ ତପସ୍ଵିନୀ ମାଝୀ, ସିଡ଼ିପିଓ ଉର୍ମିଳା ମହାପାତ୍ର ଏବଂ ଉପାଧ୍ୟକ୍ଷା ମିନା ଘିଭେଲା ସମେତ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ମଧ୍ୟାହ୍ନ ଭୋଜନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଲ ଲୋକଙ୍କୁ ସୁସ୍ଥ, ନିରୋଗି ରହିବା ସକାଶେ ସଚେତନ କରିବାକୁ ଯାଇ ମାଟି ପାତ୍ରରେ ଆରକ୍ଷୀ ଅଧିକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହିତ ମାଟି ପାତ୍ରରେ ଖାଦ୍ୟ ଖାଇ ଲୋକଙ୍କୁ ସଚେତନର ବାର୍ତ୍ତା ଦେଇଥିଲେ।ଏହି କ୍ରମରେ ଅପରାହ୍ନ ସମୟରେ ଚଟିଆଗୁଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ମା ପାଇଁ ଗଛ ଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ, ଝିଅ ପାଇଁ ଗଛ ଟିଏ, ପ୍ରାଣୀ ପାଇଁ ଦିନ ଟିଏ ଏବଂ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଯୋଗଦାନ କରି ସର୍ବ ପ୍ରଥମେ ପକ୍ଷୀ ପାଇଁ ଦିନ ଟିଏ ଓ ଶିଶୁ ପାଇଁ ଦିନ ଟିଏ କୁ ଉଦଘାଟନ କରି ଶିଶୁ ଟିକୁ ନିଜ ହାତରେ ଧରି ଆଲିଙ୍ଗନ କରିଥିଲେ। ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜ୍ୟୋତିମୟୀ, କୃଷ୍ଣପ୍ରିୟା, ଦେବରାନି, ପ୍ରୀତିମୟୀଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ ସମସ୍ତ ଅତିଥିଙ୍କୁ ସ୍ଵାଗତ କରଯାଇଥିଲା। ଜିଲ୍ଲାପାଳ ସ୍ବାଗତ ସଙ୍ଗୀତରେ ଖୁସି ହୋଇ ଚାରି ଜଣଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ ଜଣାଇଥିଲେ। ପରେ ଗୋଲାପି, ଜ୍ୟୋତିମୟୀ, ପ୍ରୀତିମୟୀ, ଭବାନୀ, ଦେବରାନୀ, ସଙ୍ଗୀତା, ତପସ୍ୱିନୀ ଓ ରଶ୍ମିଙ୍କ ଦ୍ଵାରା ଗଛ ଟିଏ ମୋ ଗଛ ଟିଏ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ପୁଣି ପାଲା ଗାୟକ କୃଷ୍ଣ ଦାସ ତାଣ୍ଡି ଦଳ ଦ୍ବାରା ପାଲା ପରିବେଷଣ କରାଯାଇଥିଲା। ପରିଶେଷରେ ମନରେଗା ଯୋଜନାରେ ଯେଉଁ ଶ୍ରମିକ ମାନେ ଶହେ ଦିନ କାମ କରିଛନ୍ତି ସେମାନଙ୍କୁ ଗଛଟିଏ ଦେଇ ସଭାରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚଟିଆଗୁଡ଼ା ଗ୍ରାମ ପଂଚାୟତ ସରପଞ୍ଚ ରଙ୍ଗିତା ପାତ୍ର, ପଂଚାୟତ ନିର୍ବାହୀ ଅଧିକାରୀ କଳ୍ପଲତା ସାଗର ସମେତ ସମସ୍ତ ପଂଚାୟତ ଅଧିକାରୀ, ଅଙ୍ଗନୱାଡ଼ି କର୍ମୀ, ମହିଳା ସୂପରଭାଇଜର ଏବଂ ଚଟିଆଗୁଡ଼ା ମହିଳା ମହାସଂଘର କର୍ମ କର୍ତ୍ତା ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।