କର୍ଲାପାଟ ଠାରେ ବାବା ଖଣ୍ଡୁଆଳ ଦେବଙ୍କ ଝାମୁଯାତ୍ରା ଉତ୍ସବ ସମ୍ପନ୍ନ ଆସ୍ଥା,ବିଶ୍ବାସ,ଭକ୍ତି ଏବଂ ଶକ୍ତିର ଅଦୃଶ୍ୟ ମିଳନ
ଥୁଆମୂଳ ରାମପୁର, ୧୫ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଭାବେ ପରିଚିତ କର୍ଲାପାଟ ଠାରେ ବାବା ଖଣ୍ଡୁଆଳ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତଥି ଦିନ ଖଣ୍ଡୁଆଳ ମାଳି ଶିଖରରେ ଥିବା ବାବା ଖଣ୍ଡୁଆଳଙ୍କ ପୀଠରୁ ପୂଜା ପାଉଥିବା ଖଣ୍ଡାକୁ ଏହି ମାଳିର ପାଦଦେଶରେ ଥିବା ରାଜୁଡା ଶାସନର କର୍ଲାପାଟ ଗାଁର ପୀଠକୁ ଅଣାଯାଇଥିଲା।ଏବଂ ପାରମ୍ପରିକ ବିଧି ଅନୁସାରେ ଉକ୍ତ ଖଣ୍ଡାକୁ ଅବସ୍ଥାପିତ କରାଯାଇଥିଲା।ଏଇ ଦିନଠୁ ବାବା ଖଣ୍ଡୁଆଳଙ୍କ ଗାଁ ପୀଠରେ ନବଦିନାତ୍ମକ ଉତ୍ସବ ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଖଣ୍ଡୁଆଳ ବାବାଙ୍କ ଝାମୁଯାତ୍ରା ପର୍ବ ପାଳନ ହୋଇଥିଲା।ଶୁକ୍ରବାର ବାବା ଖଣ୍ଡୁଆଳ ଦେବଙ୍କ ପୂଜକ ସୁଦର ପୂଜାରୀଙ୍କୁ କାଳିସି ଲାଗି ହେଲା ପରେ ଅଗ୍ନି କୁଣ୍ଡରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏଥି ସହିତ ମା ଡୋକରୀ ଦେବୀ,ଦେବୀ ବନଦୁର୍ଗା, ବାବୁରାଏ ଏବଂ ବାଇରୀ ବୁଢୀଙ୍କ କାଳିସି ଲାଗି ଝାମୁଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସକୁ ଦୃଢ କରିବା ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବହୁ ମାନସିକ ଧାରୀ ନିଜଳ ମାନସିକ ମୁତାବକ ଭୋଗ ଅର୍ପଣ କରିଥିଲେ। ଖଣ୍ଡୁଆଳ ବାବାଙ୍କ ଏହି ଝାମୁଯାତ୍ରା ଉତ୍ସବରେ ରାଜ ପରିବାରର ଇଷ୍ଟଦେବୀ ମା ଡୋକରୀଙ୍କ ସମେତ ବନଦୁର୍ଗା ,ବାବୁରାଏ ଏବଂ ବାଇରି ବୁଢୀ ଦେବୀଙ୍କ କାଳିସି ଲାଗି ହୋଇଥାଏ। ବହୁ କାଳରୁ କର୍ଲାପାଟ ରାଜାଙ୍କ ତତ୍ବାବଧାନରେ ବାବା ଖଣ୍ଡୁଆଳଙ୍କ ପୂଜାର୍ଚ୍ଚନା ଚଳି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ କର୍ଲାପାଟ ରାଜ ପରିବାରର କୁମାର ପ୍ରମୋଦ ସିଂଦେଓ,ସ୍ବରୂପ ସିଂଦେଓ ଏବଂ ରାଜ ସିଂଦେଓଙ୍କ ତତ୍ବାବଧାନରେ ଝାମୁଯାତ୍ରା ଉତ୍ସବ ପାଳନ ହୋଇଥିଲା।ଅନ୍ୟାନ୍ୟ ପୂଜକ ମାନଙ୍କ ମଧ୍ୟରେ ବିଘ୍ନେଶ୍ବର ପୁଜାରୀ, କାର୍ତ୍ତିକ ପୂଜାରୀ ପ୍ରମୁଖ ସହଯୋଗୀ ସୂଚାରୁ ରୁପେ ସମ୍ପାଦନ କରିଥିଲେ।
ଆବାହମାନ କାଳରୁ କର୍ଲାପାଟ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ବେଷ୍ଟିତ ଖଣ୍ଡୁଆଳ ମାଳିର ପାହାଡ ଦେଶର ଏକ ଗୁମ୍ଫାରେ ପୂଜା ପାଉଥିବା ଖଣ୍ଡୁଆଳ ବାବାଙ୍କ ଏହି ପୀଠରେ ପ୍ରତିବର୍ଷ ବିଭିନ୍ନ ସମୟରେ ପୂଜାର୍ଚ୍ଚନା କରାଯାଇଥାଏ। ଖଣ୍ଡୁଆଳ ମାଳି ପର୍ବତର ପାଦ ଦେଶରେ ଥିବା ଆଖପାଖ ଅଞ୍ଚଳର ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ହେଉଛନ୍ତି ବାବା ଖଣ୍ଡୁଆଳ।
କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁଙ୍କ ରିପୋର୍ଟ ନବଦୂତ ନିୟୁଜ